0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦିଲ୍ଲୀ :-> ଅନିନ୍ଦିତା ଦାସ ସଙ୍ଗୀତ ଜଗତର ଜଣେ ଜଣାଶୁଣା ନାମ । ଓଡ଼ିଶାର ନାଇଟଏଙ୍ଗଲ ଭାବରେ ଖ୍ୟାତି ଅର୍ଜନ କରିଥିବା, କୋକିଳକଣ୍ଠି ଅନିନ୍ଦିତା ରାଜ୍ୟର ଘରେଘରେ ତାଙ୍କର ସୁମଧୁର ଓ ସୁଲଳିତ ସଙ୍ଗୀତ ଗାୟନ ପାଇଁ ପରିଚିତ। ଶିଶୁ ସମୟରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିବା ଅନିନ୍ଦିତା, ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଯୁବାବସ୍ଥାରେ ହିଁ ସର୍ବସାଧାରଣରେ ନିଜର ପ୍ରଖର ପ୍ରତିଭା ଓ ପ୍ରଚୁର ପାରଦର୍ଶିତାର ପରିଚୟ ପ୍ରଦାନ କରିପାରିଥିଲେ । ମାତ୍ର ନଅ ବର୍ଷ ବୟସରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ମଥୁରା ବିଜୟ’ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିବାର ସୁଯୋଗ ଲାଭ କରିଥିଲେ । ଦୀର୍ଘ ଦିନର ସାଧନା ଓ ସିଦ୍ଧି ବଳରେ ବର୍ତ୍ତମାନ ଶ୍ରୀମତୀ ଦାସ ଓଡ଼ିଶାର ସଙ୍ଗୀତ ଦୁନିଆର ଜଣେ ଅଗ୍ରଗଣ୍ୟ କଳାକାର ଭାବରେ ନିଜର ପ୍ରତିଷ୍ଠା ଓ ପ୍ରସିଦ୍ଧି ହାସଲ କରିପାରିଛନ୍ତି।
ଗତ ଚାରି ଦଶନ୍ଧି ଧରି ଅନିନ୍ଦିତା ଓଡ଼ିଶାର ସଙ୍ଗୀତ ଦିଗବଳୟରେ ଜଣେ ଜାଜୁଲ୍ୟମାନ ତାରକା ଭାବରେ ଝଲସି ଆସୁଛନ୍ତି। କେବଳ ଓଡ଼ିଶାର କୋଣାନୁକୋଣରେ ନୁହଁ, ଓଡ଼ିଶା ବାହାରେ ସୁଦୂର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଓ କୋଲକାତା ଆଦି ମହାନଗରୀ ଏବଂ ବିଦେଶର ବହୁ ରାଷ୍ଟ୍ରରେ ନିଜର ଅପୂର୍ବ କଳା ଚାତୁର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅନିନ୍ଦିତା କେବଳ ମାତ୍ର ଜଣେ ଗାୟିକା ନୁହଁନ୍ତି, ଏକାଧାରରେ ସେ ଜଣେ ଆଦର୍ଶ ନାରୀ, ସକ୍ଷମ ଗୃହିଣୀ, କର୍ତ୍ତବ୍ୟପରାୟଣା ପତ୍ନୀ, ସ୍ନେହୀ ମା’, ଦାୟିତ୍ଵବାନ ମୁରବୀ, ସୁଦକ୍ଷା ସଙ୍ଗଠିକା, ସକ୍ରୀୟ ସାମାଜିକ ନେତ୍ରୀ, ମିଷ୍ଟଭାଷୀ ମହିଳା, ଦରଦୀ ବ୍ୟକ୍ତିତ୍ୱ, ବନ୍ଧୁ ବତ୍ସଳା ମାନବ ଏବଂ ପରୋପକାରୀ ମଣିଷ ଭାବରେ ସମାଜରେ ଖୁବ୍ ସୁନାମ ସାଉଁଟି ଚାଲିଛନ୍ତି।
ପିତା ଯୋଗେନ୍ଦ୍ର କୁମାର ଦାସ ଏବଂ ମାତା ସବିତା ଦାସଙ୍କର ସୁଯୋଗ୍ୟ ସନ୍ତାନ ଅନିନ୍ଦିତା, କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ। ଘରେ ସଙ୍ଗୀତ ପ୍ରତି ଆଗ୍ରହର ବାତାବରଣର ସଦୁପଯୋଗ କରି ସେ ବାଲ୍ୟକାଳରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ଷାଠିଏ ଦଶକର ମହାନ ସଙ୍ଗୀତ ଗୁରୁବୃନ୍ଦ ଯଥା:- ଗୁରୁ କ୍ଷିତୀଶ ଚନ୍ଦ୍ର ମୈତ୍ର, ଗୁରୁ ଦୀପକ ବସୁ, ଗୁରୁ ମୋହନ ଚରଣ ସେନାପତି ଏବଂ ଗୁରୁ ଜେ. ଭି.ଏସ୍. ରାଓ ପ୍ରମୁଖଙ୍କଠାରୁ ସେ ଶାସ୍ତ୍ରୀୟ ଓ ଲଘୁ ସଙ୍ଗୀତରେ ତାଲିମ ଗ୍ରହଣ କରିଥିଲେ। ଆକାଶବାଣୀର ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରି ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଅନିନ୍ଦିତାଙ୍କର ସୁମଧୁର ଗାୟନ ପରବର୍ତ୍ତୀ କାଳରେ ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଘରୋଇ ଟେଲିଭିଜନ ଚ୍ୟାନେଲ ଗୁଡ଼ିକରେ ନିୟମିତ ଭାବରେ ପ୍ରସାରିତ ହୋଇଥିଲା। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ସଙ୍ଗୀତ ସମାରୋହମାନଙ୍କରେ ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ଲଗାତାର ଭାବରେ ଜାରି ରହିଥିବା ଦେଖାଯାଉଛି। ଚଳଚ୍ଚିତ୍ରର ଜଣେ ସୁଦକ୍ଷା ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ ପ୍ରତିଷ୍ଠା ଅର୍ଜନ କରିଥିବା ଅନିନ୍ଦିତାଙ୍କର, ସଙ୍ଗୀତ ଦୁନିଆର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ନିର୍ଦ୍ଦେଶିତ ବଧୂ ନିରୁପମା, କାଳିଆ ଭରସା ଓ ଗଙ୍ଗା ଯମୁନା ସରସ୍ଵତୀ ଆଦି ଲୋକପ୍ରିୟ ଚଳଚ୍ଚିତ୍ରରେ କଣ୍ଠଦାନ, ଶ୍ରୋତାମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇଛି । ସେ ହିନ୍ଦୀ ଭାଷାର ଶିଶୁ ଚଲଚ୍ଚିତ୍ର ‘ବରଗଦ ଦାଦା’ରେ ମଧ୍ୟ ସଙ୍ଗୀତ ଗାୟନ କରିଛନ୍ତି। ତାଙ୍କର ସଫଳତା ପଛରେ ପ୍ରଥମେ ପିତାମାତା ଏବଂ ପରେ ପତି ଅବସରପ୍ରାପ୍ତ ଆଇ.ଏ.ଏସ. ଅଧିକାରୀ ଗୁରୁ ପ୍ରସାଦ ମିଶ୍ରଙ୍କର ସଦିଚ୍ଛା ଓ ସହଯୋଗ ଖୁବ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅନିନ୍ଦିତା କୁହନ୍ତି।
