ଡି.ଜେ.ମୁକ୍ତ ଓ ନିଶାମୁକ୍ତ ପୂଜା ପାଇଁ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ

0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ବାହିନୀ ଉପରେ ଗୁରୁ ଦାୟିତ୍ଵ ରହିଛି । ବିଶେଷକରି, ଗଣେଶ ପୂଜା , ଦଶହରା ପୂଜା ଓ କାଳୀ ପୂଜା ଉପଲକ୍ଷେ ମୂର୍ତ୍ତି ବିସର୍ଜନ ଓ ଡିଜେ ସାଉଣ୍ଡକୁ ନେଇ ଗାଁ ଗହଳିରେ ଛୋଟବଡ ଗଣ୍ଡଗୋଳ ରାଜନୈତିକ ଶତ୍ରୁତାରୁ ଆରମ୍ଭ ହୋଇଥାଏ । ଏହାକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ନୟାଗଡ ଜିଲ୍ଲା ଫତେଗଡ ଥାନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଥାନା ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିମଳ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ପ୍ରସ୍ତୁତି ବୈଠକରେ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା, ଉପ ନୀରିକ୍ଷକ ଅରୁପାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଭାପୁର ବ୍ଲକ ଅଞ୍ଚଳର ସମସ୍ତ ଡି. ଜେ. ମାଲିକ, କର୍ମକର୍ତ୍ତା ଓ ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ। ଅଶ୍ଳୀଳ ସଙ୍ଗୀତ ପୂଜା ମଣ୍ଡପରେ ବଜେଇ ପାରିବେ ନାହିଁ , ଡିଜେ ଶବ୍ଦ ମୁକ୍ତ ପୂଜା ମଣ୍ଡପ ଏବଂ ଭସାଣି ଉତ୍ସବ ଅନୁଷ୍ଠିତ ହେବ ଏବଂ ଅତି ବେଶୀରେ ୬୫ ଜେସିବିଲ୍ ମଧ୍ୟରେ ମାଇକ୍ ସାଉଣ୍ଡ ଓ ଡି.ଜେ. ସାଉଣ୍ଡ ରହିବ । ମୂର୍ତ୍ତି ୭ ଦିନ ମଧ୍ୟରେ ବିସର୍ଜନ ହେବ ।

କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ ମଧ୍ୟରେ ସମାପ୍ତ ହେବ । ଭସାଣି ଉତ୍ସବ ବିନା ନିଶା ସେବନରେ ରାତ୍ର ୭ ମଧ୍ୟରେ ସମାପ୍ତ ହେବ । ପୋଲିସ ପ୍ରଶାସନର କଟକଣାକୁ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଆଇ.ଆଇ.ସି.ପଞ୍ଚାନନ ପରିଡ଼ା ମତବ୍ୟକ୍ତ କରିଥିଲେ । ତେଣୁ, ଚଳିତ ବର୍ଷ ନିଶା ମୁକ୍ତ ଏବଂ ଡି.ଜେ. ମୁକ୍ତ ପୂଜା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ଯାହା ବୁଦ୍ଧିଜୀବି ମହଲରେ ସନ୍ତୋଷ ପ୍ରକଟ କରିଛି ।

Exit mobile version