ପ୍ରତ୍ୟେକ ମହିଳାଙ୍କୁ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇ କିଛି କିଛି ମହିଳାଙ୍କୁ ସାମିଲ କରିବା କେବଳ ପ୍ରବଞ୍ଚନା
୧୮ରୁ ୨୦ ବର୍ଷର ମହିଳାଙ୍କୁ ସାମିଲ କରିବା ନିହାତି ଜରୁରୀ
0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ, ଓଡ଼ିଆ ଅସ୍ମିତାର ନାରା ଦେଇ ରାଜ୍ୟରେ ସରକାରକୁ ଆସିଥିବା ବିଜେପି ସମ୍ଭବତଃ ଓଡ଼ିଆ ଭାଷା ଠିକ ଭାବରେ ବୁଝିପାରୁ ନାହିଁ । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କାର ଭାଉଚର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ ପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ ବରଂ କିଛି କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣା ପଡିଛି । ପ୍ରତ୍ୟେକ ମହିଳାର ଅର୍ଥ କ’ଣ କିଛି କିଛି ମହିଳା ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ ।
ବିଜେପିର ନେତାମାନେ ଠିକଭାବେ ଓଡ଼ିଆ ଭାଷାକୁ ବୁଝିପାରୁ ନାହାନ୍ତି ନବୁଝି ପାରିବାର ଅଭିନୟ କରୁଛନ୍ତି । ତା ଛଡା ଏହି ପଚାଶ ହଜାର ଟଙ୍କା ଦୁଇ ବର୍ଷରେ ନୁହେଁ ବରଂ ପାଞ୍ଚ ବର୍ଷରେ ପ୍ରଦାନ କରାଯିବ ବୋଲି କୁହାଯାଇଛି । ବିଜେପିର ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ରାଜ୍ୟର ମହିଳାମାନେ ଅନେକ ଆଶା ବାନ୍ଧିଥିଲେ ଯାହା ପଚାଶ ହଜାର ଟଙ୍କା ପାଇଲେ ପୂରଣ ହୋଇଥାନ୍ତା । କିନ୍ତୁ ଏସଓପି ଆସିବା ପରେ ଅଧିକାଂଶ ମହିଳା ଏଥିରୁ ବଞ୍ଚିତ ହେବେ ବୋଲି ଜାଣି ନିରାଶ ହୋଇଛନ୍ତି । ତେଣୁ ସୁଭଦ୍ରା ଯୋଜନା ଏକ ପ୍ରବଂଚନା ଓ ଜୁମଲାରେ ପରିଣତ ହୋଇଛି ବୋଲି ଶ୍ରୀମତୀ ଛୁରିଆ କହିଥିଲେ । ସେ ଆହୁରି କହିଥିଲେ, ଏସଓପିରେ କୁହାଯାଇଛି ଯେ କେବଳ ୨୧ ବର୍ଷରୁ ୬୦ ବର୍ଷର ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ସ୍ୱାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠୁଛି ଯେ ୧୮ ବର୍ଷରେ ନାଗରିକର ଅଧିକାର ମିଳୁଥିବା ବେଳେ ୧୮ରୁ ୨୦ବର୍ଷର ମହିଳା ମାନଙ୍କୁ କେଉଁ କାରଣରୁ ଏହି ଯୋଜନାରେ ସାମିଲ କରାଯାଇନାହିଁ ।
