0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଆଇନ ମନ୍ତ୍ରୀ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ନେଇ ଘୋଷଣା କରିବା ଦୁର୍ଭାଗ୍ୟଜନକ । ବିଜେଡ଼ି ରାସ୍ତାରେ ବିଜେପି ସରକାର ଯାଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଗତ ୨୦୧୭ ମସିହାରେ ଶେଷ ନିର୍ବାଚନ ହୋଇଥିଲା । ୧୮ ଅଗଷ୍ଟ୨୦୧୭ ତାରିଖରେ ନିର୍ବାଚନ ସିଡୁଲ ଘୋଷଣା କରାଯାଇଥିଲା । ୨୦୨୪ ରେ ଅଗଷ୍ଟ ୧୯ ତାରିଖ ଦିନ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ଘୋଷଣା କଲେ । ମାତ୍ର ଗୋଟିଏ ଦିନ ପରେ କହିଲେ ଯେ ନୂଆ ସରକାର, ସମୟର ଅଭାବ ଏବଂ ପ୍ରସ୍ତୁତିର ଅଭାବ ପାଇଁ ନିର୍ବାଚନ ହୋଇପାରିବ ନାହିଁ । ମୂଳ କଥାଟି ହେଉଛି ସରକାରୀ କଳକୁ ଲଗାଇ ସମସ୍ତ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କୁ କବଜା କରିବାପାଇଁ ଷଡ଼ଯନ୍ତ୍ର ଚାଲିଛି । ସେଥିପାଇଁ ଆରବର୍ଷ ନିର୍ବାଚନ କରିବାପାଇଁ କୁହାଗଲା ।
ହୁଏତ ଆରବର୍ଷ ନିର୍ବାଚନ ନ ହୋଇବି ପାରେ । ଯେପରି ବିଭିନ୍ନ ଆଳରେ ୨୦୧୭ ମସିହା ଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ବିଜେଡ଼ି ସରକାର ରାଜ୍ୟରେ ବିଭିନ୍ନ ଆଳନେଇ ନିର୍ବାଚନ ବନ୍ଦ କଲେ । କ୍ୟାମ୍ପସରେ ହିଂସା ଆଳରେ ୨୦୧୯, ୨୦୨୨ ଓ ୨୦୨୩ ରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଗଲା । ୨୦୨୦ ଓ ୨୦୨୧ରେ କରୋନା ପାଇଁ ଏବଂ ୨୦୧୮ରେ ତିତିଲି ମହାବାତ୍ୟା ପାଇଁ ନିର୍ବାଚନ ବନ୍ଦ ହୋଇଥିଲା । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟଯେ ଏବିଭିପି ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହାଇକୋର୍ଟରେ କେସ କରିଥିଲା ମାତ୍ର ଏବେ ଏହାର ଆଭିମୁଖ୍ୟ ବଦଳି ଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ବନ୍ଦ ଘୋଷଣାକୁ ଏବିଭିପି ପକ୍ଷରୁ ସ୍ୱାଗତ କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତିଯେ ଛାତ୍ର ମାନଙ୍କର ଗଣତନ୍ତ୍ର ଅଧିକାରକୁ ଏହାଦ୍ୱାରା ହତ୍ୟା କରାଯାଉଛି । ପୂର୍ବରୁ ଛାତ୍ର ବିଜେଡ଼ିର କର୍ମକର୍ତାମାନେ କଲେଜ ଓ ୟୁନିର୍ଭସିଟିରେ ଅପରାଧିକ କାର୍ଯ୍ୟ କରୁଥିଲେ । ହସଟେଲ ଅସୁରକ୍ଷିତ ଥିଲା । ଛାତ୍ରୀମାନେ ନିଜକୁ କ୍ୟାମ୍ପସରେ ସୁରକ୍ଷିତ ମନେ କରୁଥିଲେ । କ୍ୟାମ୍ପସରେ ର୍ୟାଗିଂ ଚାଲୁଥିଲା ।
ର୍ୟାଗିଂ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ । ବିଜେବିି କଲେଜର ଛାତ୍ରୀ ରୁଚିକା ମହାନ୍ତି ର୍ୟାଗିଂରେ ଶିକାର ହୋଇ ଆତ୍ମହତ୍ୟା କଲେ । ବିଜୁ ଛାତ୍ର ଜନତା ଛାତ୍ର ସଂଗଠନ ପକ୍ଷରୁ କ୍ୟାମ୍ପସ କମିଟି କରାଯାଇ ସବୁ ସରକାରୀ ଶିକ୍ଷାନୁଷ୍ଠାନରେ ଦୌରାତ୍ମ୍ୟ କରାଯାଉଥିଲା । କ୍ୟାମ୍ପସ କମିଟିର ସଭ୍ୟମାନେ ର୍ୟାଗିଂ କରୁଥିଲେ । ଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ କାର୍ଯ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ହଡ଼ପ କରାଯାଉଥିଲା । ରମାଦେବୀର ପାଚେରୀ ନିର୍ମାଣର ଦୁଇଦିନ ମଧ୍ୟରେ ଭୁଷୁଡ଼ି ପଡ଼ିବା ଏବଂ ଉôଦଘାଟନ ଦିନ ବାଙ୍କ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳପଡ଼ିଆର ଗ୍ୟାଲେରି ଭୁଷୁଡ଼ି ପଡ଼ିବା ଘଟଣାରୁ ଏହା ସ୍ପଷ୍ଟ । ଓଡ଼ିଶାର ସମସ୍ତ ସରକାରୀ କଲେଜ ଓ ୟୁନିଭର୍ସିଟି ଏବଂ ଅନୁଦାନ ପ୍ରାପ୍ତ କଲେଜ ମାନଙ୍କରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ଘୋର ଅଭାବ ରହିଛି । ଭିର୍ତିଭୁମି ଅତ୍ୟନ୍ତ ଦୁର୍ବଳ ।
