ପରକୀୟା ପ୍ରୀତିକୁ ନେଇ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପିପିଲି କଣ୍ଟି ପଞ୍ଚାୟତ ରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ କେନାଲ ବନ୍ଧ ଉପରୁ ଯୁବକଙ୍କ ମୃତ ଦେହକୁ ପିପିଲି ପୋଲିସ ଜବତ କରିଛି । ପିପିଲି ସାନ କଣ୍ଟି ଗ୍ରାମରେ ଘଟିଯାଇଛି ଏଭଳି ଅଭାବନୀୟ ଅଘଟଣ। ମୃତକ ଯୁବକ ପିପିଲି ସାନ କଣ୍ଟି ଗ୍ରାମର ନୀଳକଣ୍ଠ ପାଇକରାୟ ବୟସ ୨୬ ବର୍ଷ ବୋଲି ଜଣାପଡିଛି। ପିପିଲି ସାନ କଣ୍ଟି ଗ୍ରାମର ବିବେକାନନ୍ଦଙ୍କ ପୁଅ ନୀଳକଣ୍ଠ ପାଇକରାୟ ଙ୍କ ପରକୀୟା ପ୍ରୀତି ପାଇଁ ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଗତକାଲି ରାତି ୧୧ଟାରେ ଫୋନ୍ କରି ପୁଅକୁ ଡାକିନେଇ ମାରି ଦେଇଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ପୁଅକୁ ଘରୁ ଡାକି ନେଇ ମାରିଦେଇଥିବା ଅଭିଯୋଗରେ ପିପିଲି ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।ଅଟକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସୂଚନା ମୁତାବକ ପିପିଲି କଣ୍ଟି ବାରିମୂଳ ଗ୍ରାମର ବିବେକାନନ୍ଦଙ୍କ ପୁଅ ନୀଳକଣ୍ଠ ପୂର୍ବରୁ ବିବାହିତ ଥିଲେ, ତାଙ୍କର ଗୋଟିଏ ଝିଅ ଓ ପୁଅ ରହିଥିବାବେଳେ ନିକଟ ପାଖ ଗ୍ରାମର ଜୈନିକ ବିବାହିତ ମହିଳାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ରହିଥିଲା।

ଏ କଥା ଜଣାପଡ଼ିବା ପରେ ଉଭୟ ପରିବାରଙ୍କ ମଧ୍ୟରେ ଅନେକଥର ଝଗଡ଼ା ହୋଇ ପୂର୍ବରୁ ଉଭୟଙ୍କ ପରିବାର ପିପିଲି ଥାନାର ଦ୍ବାରସ୍ଥ ହୋଇଥିଲେ।ମାତ୍ର ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ପାଇଁ ଯୁବକର ଜୀବନ ଚାଲିଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ନୀଳକଣ୍ଠ ଙ୍କୁ ଗତକାଲି ବିଳମ୍ବିତ ରାତିରେ ଉକ୍ତ ମହିଳା ଫୋନ୍ ରେ ଡାକି ତାକୁ ମାରି ଦେଇ କେନାଲ ବନ୍ଧରେ ଫୋପାଡି ଦେଇଥିବା ନେଇ ଯୁବକଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ତେବେ ପିପିଲି ପୋଲିସ ଓ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ କ’ଣ ରହିଛି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Exit mobile version