0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୁରୁଗ୍ରାମ :-> ଜାତୀୟ ରାଜଧାନୀ କ୍ଷେତ୍ର ଅନ୍ତର୍ଗତ ଗୁରୁଗ୍ରାମଠାରେ ଚଳିତ ବର୍ଷ ମହାସମାରୋହରେ ଦୁର୍ଗାପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ଏଠାକାର ସେକ୍ଟର ୪ ଠାରେ କଳିଙ୍ଗ କଲଚରାଲ ଏଣ୍ଡ ୱେଲଫେଆର ଆସୋସିଏସନ (କେ.ସି.ଡବ୍ଲ୍ୟୁ.ଏ) ଦ୍ଵାରା ଆୟୋଜନ କରାଯାଉଥିବା ଦୁର୍ଗାପୂଜା ଚଳିତଥର ପନ୍ଦର ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ଦୃଷ୍ଟିରୁ ଏଥରର ପାର୍ବଣକୁ ଅଧିକ ଆକର୍ଷଣୀୟ ଏବଂ ଉଚ୍ଚକୋଟିର କରିବା ପାଇଁ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରୟାସ ଚାଲିଥିବ ପ୍ରାପ୍ତ ସୂଚନାରୁ ପ୍ରକାଶ। ଏହା ମଧ୍ୟରେ ଆସୋସିଏସନର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରାଙ୍କର ପୌରହିତ୍ୟରେ ଚାରିଦଫାରେ ପ୍ରସ୍ତୁତି କମିଟିର ବୈଠକ ଅନୁଷ୍ଠିତ ହୋଇ ଆୟୋଜନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବା ସହିତ ଏ ବର୍ଷର ଉତ୍ସବରେ କିଛି ନୂତନ ଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମକୁ ସାମିଲ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
