କଳା କ୍ଷେତ୍ରକୁ ପରିପୂର୍ଣ୍ଣ କରିବାରେ ୩୦ ବର୍ଷ –ଏହି ସମ୍ମାନ ମହୋତ୍ସବର ୩ ଦଶନ୍ଧିକୁ ପାଳନ କରୁଛି
୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ସହଯୋଗରେ କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଉତ୍ସର୍ଗୀକୃତ ତିନି ଦଶନ୍ଧିକୁ ପାଳନ କରି ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସା ପକ୍ଷରୁ ଏହାର ବାର୍ଷିକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ଆୟୋଜନ କରାଯିବ । ଆସନ୍ତା ସେପ୍ଟେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପଠାରେ ପ୍ରତିଦିନ ସନ୍ଧ୍ୟା ୭ଟାରେ, ଓଡିଶାର ଶାସ୍ତ୍ରୀୟ କ୍ୟାଲେଣ୍ଡରରେ ଏକ ଅଗ୍ରଗାମୀ ସାଂସ୍କୃତିକ କାର୍ଯ୍ୟକ୍ରମ, ୩୦ ତମ ଗୁରୁ କେଲୁଚରଣ ମହାପାତ୍ର (ଜିକେସିଏମ) ସମ୍ମାନ ମହୋତ୍ସବ ୨୦୨୪ ଅନୁଷ୍ଠିତ ହେବ । ନୃତ୍ୟ ଏବଂ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବଜାୟ ରଖିବାର ଏକ ସ୍ୱତନ୍ତ୍ର ଲକ୍ଷ୍ୟ ସହିତ ଏହି ସମ୍ମାନ ମହୋତ୍ସବ ସବୁବେଳେ ଆୟୋଜିତ ହୋଇଆସୁଛି । ପ୍ରତିବର୍ଷ ୫ ଦିନ ପାଇଁ ପରିଚାଳିତ ହେଉଥିବା ଏହି ମହୋତ୍ସବକୁ ଚଳିତ ବର୍ଷ ପାଇଁ ୭ ଦିନ ପରିଚାଳନା କରାଯିବ ।
୬ ଦିନ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧକାରୀ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶିତ ହେବା ପରେ ୭ମ ବା ଅନ୍ତିମ ଦିନରେ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ ସମାରୋହର ଆୟୋଜନ କରାଯିବ ଏବଂ ଗୁରୁ ରତିକାନ୍ତ ମହାପାତ୍ରଙ୍କ ପ୍ରଖ୍ୟାତ ଅନୁଷ୍ଠାନ ସୃଜନର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶିତ ହେବ । ଏହା ସମ୍ପର୍କରେ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତିଯେ, ଚଳିତ ବର୍ଷ ଭାରତ ଏବଂ ବିଶେଷ କରି ଓଡ଼ିଶାର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ କ୍ଷେତ୍ରର ଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ୨୦୨୪ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ମାନପତ୍ର ସାମିଲ ରହିଛି ଯାହାକୁ ଓଡିଶୀ ନୃତ୍ୟ କ୍ଷେତ୍ରରେ ନିଜର ଅପାର ଯୋଗଦାନ ପାଇଁ ଶ୍ରୀମତି କୁମ୍କୁମ ଲାଲ, ସଙ୍ଗୀତ ଓ ବାଦନ କ୍ଷେତ୍ରରେ ସେମାନଙ୍କ ଜୀବନବ୍ୟାପୀ ସଫଳତା ପାଇଁ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଓ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ ଏବଂ ଓଡିଆ ସିନେମା ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଉତମ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
