୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ/ବାରିପଦା :-> ସଂଖ୍ୟାନୁପାତିକ ପ୍ରତିନିଧିତ୍ବ ବିନା ଦେଶର ବହୁସଂଖ୍ୟକ ବର୍ଗ ଓବିସି ମାନଙ୍କୁ ନ୍ୟାୟ ମିଳିବା ସମ୍ଭବପର ନୁହେଁ ଏବଂ ସଂଖ୍ୟାନୁପାତିକ ପ୍ରତିନିଧିତ୍ବ ଜାତିଆଧାରିତ ଜନଗଣନା ଦ୍ବାରା ହିଁ ସମ୍ଭବ ଅଟେ କାରଣ ଜାତିଆଧାରିତ ଜନଗଣନା କଲେ ହିଁ ଓବିସିଙ୍କର ବାସ୍ତବିକ ସଂଖ୍ୟା ଜଣା ପଡିବ । ଜାତିଆଧାରିତ ଜନ ଗଣନା ଯେ ପର୍ଯ୍ୟନ୍ତ ହେବ ନାହିଁ ସେପର୍ଯ୍ୟନ୍ତ କେଉଁ ଜାତି କେତେ ଅଗ୍ରସର ଏବଂ କେତେ ପଛୁଆ ତାହା ଜାଣିବା ସମ୍ଭବପର ନୁହେଁ ଯାହାଦ୍ବାରା ଓବିସି ବର୍ଗର ନାଗରିକଙ୍କ ବିକାଶ ନିିମନ୍ତେ ଆବଶ୍ୟକ ଜରୁରୀ ପଦକ୍ଷେପ ତଥା କୌଣସିପ୍ରକାରର ଯୋଜନା ପ୍ରସ୍ତୁତ କରାଯାଇ ପାରୁ ନାହିଁ ।
ଏଣୁ ଭାରତରେ ବସବାସ କରି ରହୁଥିବା ବହୁସଂଖ୍ୟକ ବର୍ଗ ଓବିସି ମାନଙ୍କୁ ନ୍ୟାୟ ପ୍ରଦାନ ସହିତ ଏସସି, ଏସଟି ମାନଙ୍କୁ ମଧ୍ଯ ସେମାନଙ୍କର ଜନସଂଖ୍ୟା ଅନୁପାତରେ ସମସ୍ତ କ୍ଷେତ୍ରରେ ଭାଗୀଦାରି ବା ପ୍ରତିନିଧିତ୍ବ ଦେବା ସମେତ ୯ ଦଫା ଦାବୀକୁ ନେଇ ମାନନୀୟ ଚୌଧୁରୀ ବିକାଶ ପଟେଲଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚା ଦ୍ବାରା ସମ୍ବିଧାନର ମୌଳିକ ଅଧିକାର ଅନୁଛେଦ ୧୯ ଅନୁସାରେ ୩୧ ରାଜ୍ଯର ୫୭୦ ଜିଲ୍ଲାର ମୁଖ୍ୟାଳୟରେ ଏକକାଳୀନ ଧାରଣା ପ୍ରଦର୍ଶନ ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ଆହ୍ବାନ କରାଯାଇ ଥିଲା ଯାହାକୁ ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନ୍ୟବର ୱାମନ ମେଶ୍ରାମ ସାହେବ ମଧ୍ଯ ସମ୍ପୂର୍ଣ୍ଣ ସଂଗଠନ ଶକ୍ତି ସହିତ ସମର୍ଥନ କରିଛନ୍ତି ।
