Home ଓଡ଼ିଶା ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ : କ୍ରୀଡାବୀତ୍ମାନଙ୍କ ସଫଳତା ହେଉଛି ସାରା ଓଡିଶାର ସଫଳତା, ପ୍ରତ୍ୟେକ ଓଡିଆ ଏହି ସଫଳତାରେ ଗର୍ବିତ – ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରାଜ୍ୟସ୍ତରୀୟ ଜାତୀୟ କ୍ରୀଡା ଦିବସ ସୁସ୍ଥ, ନିରାମୟ ଜୀବନ ଯାପନ ପାଇଁ କ୍ରୀଡ଼ାକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ମେଜର ଧ୍ୟନଚାନ୍ଦଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କଲେ ପ୍ରତ୍ୟେକ କ୍ରୀଡାବିତ୍ ନିଶ୍ଚିତ ରୂପେ ସଫଳତା ପାଇବେ – କ୍ରୀଡା ମନ୍ତ୍ରୀ ଲାଜରୁସ୍ ବାର୍ଲାଙ୍କୁ ବିଜୁ ପଟ୍ଟନାୟକ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ୍ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଭାରତୀୟ ହକି ପ୍ରତି ବଳିଷ୍ଠ ଅବଦାନକୁ ଦେଶବାସୀଙ୍କ ମନରେ ଅବିସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ ଓ ଅନ୍ୟଅତିଥି ମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଧ୍ୟାନଚାନ୍ଦଙ୍କ ଖେଳରେ ମ୍ୟାଜିକ ଥିଲା। ଭାରତବର୍ଷ ପାଇଁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସ୍ୱର୍ଣ୍ଣ ପଦକ ଜିତି ସେ ଏକ ବିରଳ କୃତିତ୍ୱ ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କ ଭଳି ହକି ଖେଳାଳି ଆଉ କେହି ବାହାରି ନାହାନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମ କ୍ରୀଡାବିତ୍ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନଙ୍କର ତ୍ୟାଗ, ସାହସ ଓ ଉତ୍କର୍ଷ ଆମ ସମସ୍ତଙ୍କୁ, ଆମ ଯୁବ ସମାଜକୁ ପ୍ରେରଣା ଦେଇ ଆସୁଅଛି। କ୍ରୀଡା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଆଗାମୀ ଦିନରେ ସେମାନେ ଆହୁରି ଅଧିକ ସଫଳତା ହାସଲ କରନ୍ତୁ ଓ ଆମ ପାଇଁ ଆହୁରି ଗୌରବ ଆଣନ୍ତୁ। କ୍ରୀଡାବୀତ୍ମାନଙ୍କ ସଫଳତା ହେଉଛି ସାରା ଓଡିଶାର ସଫଳତା। ପ୍ରତ୍ୟେକ ଓଡିଆ ଏହି ସଫଳତାରେ ଗର୍ବିତ ବୋଲି ସେ କହିଥିଲେ। ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରି ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗେଇ ଚାଲିଛି । ଆମର କ୍ରୀଡାବିତ୍ ମାନେ ମଧ୍ୟ ଅନ୍ତର୍ଜାତୀୟ କ୍ରୀଡା ଜଗତରେ ନିଜର ଦକ୍ଷତା ଏବଂ ପରାକାଷ୍ଠା ପ୍ରମାଣ କରିଚାଲିଛନ୍ତି । ୧୯୭୨ ମସିହା ପରଠାରୁ ପ୍ରଥମ ଥର ପାଇଁ ଭାରତୀୟ ହକି ଦଳ ୨୦୨୦ ଓ ୨୦୨୪ ଅଲମ୍ପିକ୍ସରେ ଲଗାତାର ଭାବେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ହକିରେ ଭାରତ ତାର ପୂର୍ବ ଗୌରବ ଫେରିପାଇବା ପାଇଁ ନିଶ୍ଚିତ ଭାବେ ସଫଳତାର ସହ ଅଗ୍ରଗତି କରି ଚାଲିଛି । ନିକଟରେ ଭାରତୀୟ ହକି ଦଳ ଭୁବନେଶ୍ବର ଆସିଥିଲେ ଏବଂ ଓଡିଶାବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅଭୂତପୂର୍ବ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖେଳାଳିମାନଙ୍କ ଆତ୍ମବିଶ୍ବାସ ଓ ଦୃଢ ମନୋବଳ ଦେଖି ମୁଁ ଦୃଢ ନିଶ୍ଚିତ ଯେ ଆଗାମୀ ଅଲମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ସେ କହିଥିଲେ । ସେ କହିଥିଲେ, କ୍ରୀଡା କ୍ଷେତ୍ରରେ ଆମର ସ୍ଵପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ସଦା ସର୍ବଦା ଚେଷ୍ଟିତ ଏବଂ ଏହି ଦିଗରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପମାନ ନିଆଯାଉଛି। ଆଗକୁ ଭାରତ ତଥା ଓଡିଶା କ୍ରୀଡ଼ା ଜଗତରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଚିତ ହେବ ଏହା ହିଁ ମୁଁ ଆଶା କରୁଛି। ଏହା ସହିତ ଆଜିର ଏହି ଜାତୀୟ କ୍ରୀଡ଼ା ଦିବସରେ ଆମେ ସମସ୍ତେ ଏକ ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରିବା ପାଇଁ କ୍ରୀଡ଼ାକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଆଜି ଉତ୍ସବରେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ଶ୍ରୀମତୀ ଜୟନ୍ତୀ ମଲ୍ଲିକ ଓ ତାଙ୍କ ୧୨ ବର୍ଷର ପୁଅ ରୁଦ୍ର ମଲ୍ଲିକ ନିଜ ଜୀବନକୁ ବାଜି ଲଗାଇ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର ଏହି ସାହସିକତା ପାଇଁ ୨ ଲକ୍ଷ ଟଙ୍କାର ଚେକ୍ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। କ୍ରୀଡା ସାମ୍ବାଦିକତା ପାଇଁ ସମ୍ମାନିତ ହୋଇଥିବା କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରାଙ୍କୁ ୨ ଲକ୍ଷ ଟଙ୍କା, ଟ୍ରଫି ଏବଂ ଫଳକ ପ୍ରଦାନ କରାଯାଇଥିଲା । ଭାରୋତ୍ତଳନ କ୍ଷେତ୍ରରେ କିର୍ତ୍ତିମାନ ସ୍ଥାପନ କରିଥିବା ୧୪ ବର୍ଷିୟା ଶ୍ରେଷ୍ଠ ଉଦିୟମାନ ପ୍ରତିଭା ପ୍ରୀତିସ୍ମିତା ଭୋଇଙ୍କୁ ୨ ଲକ୍ଷ ଟଙ୍କା ଏବଂ ଫଳକ ପ୍ରଦାନ କରାଯାଇଥିଲା। ସେହିଭଳି ଟେକ୍ନିକାଲ୍ ଅଫିସିଆଲ୍ ରୂପନ୍ୱିତା ପଣ୍ଡା, ଦୃଷ୍ଟିହୀନ କ୍ରିକେଟିଅର ମହମ୍ମଦ ଜାଫର ଇକବାଲ୍, ହକି ପ୍ରଶିକ୍ଷକ ବିଜୟ କୁମାର ଲାକ୍ରା ଏବଂ କ୍ରୀଡା ପ୍ରୋତ୍ସାହନ ପାଇଁ ନାଲ୍କୋକୁ ୨ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ଏବଂ ଅଲମ୍ପିଆନ୍ କିଶୋର କୁମାର ଜେନାଙ୍କ ଜାଭଲିନ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୩ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ସହିତ ହକି ଖେଳ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଲାଜରୁସ୍ ବାର୍ଲାଙ୍କୁ ୪ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ହକିର ଯାଦୁଗର ଥିଲେ ମେଜର ଧ୍ୟାନଚାନ୍ଦ। ତାଙ୍କ ଜୀବନକାଳ ମଧ୍ୟରେ ସେ ହଜାରରୁ ଅଧିକ ଗୋଲ୍ ଦେଇଛନ୍ତି । ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି । କ୍ରୀଡା କ୍ଷେତ୍ର ପ୍ରତି ଆଗ୍ରହ ରଖିଥିବା ସବୁ ପ୍ରତିଭାମାନେ ମେଜର ଧ୍ୟନଚାନ୍ଦଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କଲେ ନିଶ୍ଚିତ ରୂପେ ସଫଳତା ହାସଲ କରିବେ। ଆମ ମାନ୍ୟବର ପ୍ରଧାନମନ୍ତ୍ରୀ କ୍ରୀଡାର ବିକାଶକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡିଶାରେ ମଧ୍ୟ କ୍ରୀଡାକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଉଛି। ଆମ ମୁଖ୍ୟମନ୍ତ୍ରୀ କ୍ରୀଡାକୁ ସମାଜର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ଏ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।ଅନ୍ୟତମ ଅତିଥିଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ଜାତୀୟ କ୍ରୀଡା ଦିବସ ପାଳନ ଆମକୁ ଖେଳର ମହତ୍ୱ ବିଷୟରେ ଚେତାଇ ଦେଇଥାଏ। ଖେଳ ଆମର ଟିମ୍ ସ୍ପିରିଟ୍, ଏକାଗ୍ରତା ଓ ମନୋବଳ ବୃଦ୍ଧି କରିଥାଏ। ଓଡିଶାର କ୍ରୀଡାବିତ୍ମାନଙ୍କ ପାଇଁ ଆମେ ଗର୍ବିତ। କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ କ୍ରୀଡା ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି । କାର୍ଯ୍ୟକ୍ରମରେ ବହୁ କ୍ରୀଡାବିତ୍, କ୍ରୀଡା ପ୍ରଶିକ୍ଷକ ଏବଂ କ୍ରୀଡା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026