୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ, ପଞ୍ଝାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କନ୍ଧମାଳ ଗ୍ରସ୍ତରେ ଆସି ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସେମାନଙ୍କ ବିଭାଗର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ ରାଜ୍ୟରେ ଥିବା ମହାବିଦ୍ୟାଳୟ ଗୁଡ଼ିକରୁ ଯୁକ୍ତ ତିନି ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଲଗା କରାଯିବ ମାତ୍ର ସେ ଦୁଇଟି ଶିକ୍ଷାନୁଷ୍ଠାନ ପ୍ରାୟ ପାଖାପାଖି ରହିବ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି । ଜିଲ୍ଲାର ଯେଉଁ ଯେଉଁ ମହାବିଦ୍ୟାଳୟ କିମ୍ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ସଂଖ୍ୟା କମୁଛନ୍ତି ତା’ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଜିଲାରେ କ୍ରୀଡ଼ା ଓ ସଂସ୍କୃତି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଜିଲା କ୍ରୀଡ଼ା ଅଧିକାରୀ ଓ ଜିଲା ସଂସ୍କୃତି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ମନ୍ତ୍ରୀଙ୍କ ପରାମର୍ଶ କ୍ରମେ କନ୍ଧମାଳ ଷ୍ଟାଡିୟମର ଉନ୍ନତିକରଣ, ଆଥ୍ଲେଟିକ ସିନ୍ଥେଟିକ୍ ଗ୍ରାଉଣ୍ଡ ନିର୍ମାଣ, ସୁଇମିଙ୍ଗ୍ ପୁଲ୍ ନିର୍ମାଣ, ବାଲିଗୁଡ଼ାରେ ହକି ଆଷ୍ଟ୍ରୋ ଟର୍ଫ କୋର୍ଟ ନିର୍ମାଣ, କନ୍ଧମାଳ ଷ୍ଟାଡିୟମର ଗ୍ୟାଲେରୀ ନିର୍ମାଣ, ବିଜ୍ଞାପିତ ଅଞ୍ଝଳ ପରିଷଦ ଓ ବ୍ଲକରେ ଥିବା ଖେଳ ପଡ଼ିଆର ଉନ୍ନତିକରଣ ଆଦି ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରସ୍ତାବ ଦେଇଥିବାବେଳେ ଜିଲା ସଂସ୍କୃତି ଅଧିକାରୀ ଜିଲାରେ ୧୫ଶହ ସିଟ୍ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ନୂଆ ସରକାର ଏବଂ ନୂଆ ଅଧିକାରୀ ମିଳିତ ଭାବେ ଏବେଠାରୁ ୨୦୩୬ ମସିହା ପାଇଁ ପ୍ରସ୍ତୁତ ରହିବେ।ଓଡ଼ିଶାର ଜନସାଧାରଣଙ୍କ ଯୋଗୁଁ ଆମେ ସେମାନଙ୍କ ସେବା ପାଇଁ ଆମେ ସୁଯୋଗ ପାଇଛୁ। ଆମେ ସେମାନଙ୍କ ଉନ୍ନତି ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛୁ ଏବଂ କାର୍ଯ୍ୟରେ ଦେଖାଇଦେବୁ। ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ପୂର୍ଣ୍ଣ ସହଯୋଗ ଆଶା କରୁଛୁ। କାରଣ ବିଭାଗୀୟ ଅଧିକାରୀ ମାନେ ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରି ପାରିବେ।
