୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଏମ୍ ଗ୍ଲୋବାଲ ସ୍କୁଲ, ଭୁବନେଶ୍ୱରର ୧୩ ବର୍ଷୀୟ ଛାତ୍ରୀ ଓଡିମିଆନ୍ ତନ୍ଭି ପାତ୍ରୀ ପ୍ରତିଷ୍ଠିତ ବ୍ୟାଡ୍ମିଂଟନ ଏସିଆ ୧୭ବର୍ଷରୁ କମ ଓ ୧୫ବର୍ଷରୁ କମ ଜୁନିଅର ଚାମ୍ପିଅନ୍ସିପରେ ଅଣ୍ଡର-୧୫ ଗାର୍ଲସ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଓଡିଏମ୍ ଏଜୁକେଶ୍ନାଲ ଗ୍ରୁପ୍କୁ ଗୌରବାନ୍ୱିତ କରିଥିବା ଏକ ମହତ୍ୱପୂର୍ଣ୍ଣ ବିଜୟରେ ଚମତ୍କାର ଦକ୍ଷତା ଓ ସଙ୍କଳ୍ପବଦ୍ଧତା ପ୍ରଦର୍ଶିତ କରି ତନ୍ଭି ଷ୍ଟ୍ରେଟ୍ ଗେମ୍ରେ ଭିଏତନାମର ଥି ଥୁ ହୁୟିନ ନଗୁଏନ୍ଙ୍କୁ ପରାଜିତ କରି ଚାମ୍ପିଅନ ହେବା ସହ ୨୨-୨୦, ୨୧- ୨୨ର ପ୍ରଭାବୀ ସ୍କୋର ସହ କେବଳ ୩୪ ମିନିଟ୍ରେ ଟାଇଟଲ ହାସଲ କରିଛନ୍ତି । ତନ୍ଭି ଟୂର୍ଣ୍ଣାମେଂଟ୍ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ କୋର୍ଟରେ ନିଜର ଅତୁଳନୀୟ ପ୍ରଦର୍ଶନ ଦେଖାଇଥିଲେ ।
ସେ ଖେଳିଥିବା ସମସ୍ତ ୫ଟି ମ୍ୟାଚ୍ରେ ଗୋଟିଏ ବି ଗେମ୍ ଡ୍ରପ୍ ନକରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲେ । କଡା ଟକ୍କର ମିଳିଥିବା ପ୍ରଥମ ଗେମ୍ରେ ସେ ୨୨-୨୦ ସ୍କୋର ସହ ବିଜୟ ହାସଲ କରିଥିଲେ । ୨ୟ ଗେମ୍ରେ ସେ ନିଜ ପ୍ରତିଦ୍ୱନ୍ଦୀଙ୍କୁ ୨୧-୧୧ରେ ପରାଜିତ କରି ବିଜୟ ହାସଲ କରିଥିଲେ । ବ୍ୟାଡମିଂଟନ ଏସିଆ ଜୁନିଅର ଚାମ୍ପିଅନସିପ୍ରେ ଏହି ବିଜୟ ତନ୍ଭିଙ୍କ ଉଦୀୟମାନ ବ୍ୟାଡ୍ମିଂଟନ କ୍ୟାରିୟରରେ ଏକ ଉଲ୍ଲେଖନୀୟ ସଫଳତା ଅଟେ । ଏହି ଆନ୍ତର୍ଜାତୀୟ ମଂଚରେ ଏତେ କମ୍ ବୟସରୁ ତାଙ୍କର ଏହି ବିରାଟ ସଫଳତା ତାଙ୍କର ଦକ୍ଷତାକୁ ସୂଚିତ କରୁଛି ଏବଂ ଯୁବ କ୍ରୀଡା ପ୍ରତିଭାମାନଙ୍କୁ ଆଗକୁ ବଢାଇବା କ୍ଷେତ୍ରରେ ଓଡିଏମ୍ ଗ୍ଲୋବାଲ ସ୍କୁଲର ସହଯୋଗ ଓ ସମର୍ପଣଭାବକୁ ପ୍ରତିଫଳନ କରୁଛି ।
