କୋଣାର୍କ ଏନ୍ଏସିରେ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ସାମ୍ବାଦିକ କଳା ବ୍ୟାଚ ପିନ୍ଧିବେ

୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :->  ଶୁକ୍ରବାର ମା ଭଗବତୀ ପୀଠରେ କୋଣାର୍କ ପ୍ରେସ କ୍ଲବ, କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ସଭାପତିତ୍ବରେ ଏହି ବୈଠକରେ ଉପଦେଷ୍ଟା ସାମ୍ବାଦିକ ସଞ୍ଜୟ ପତି,ମାନସ ରଞ୍ଜନ ପାତ୍ର,ଜ୍ୟୋତିରାଜ ମହାନ୍ତି,ଧନଞ୍ଜୟ ବେହେରା,ମନୋରଞ୍ଜନ ପଣ୍ଡା,ବିଚିତ୍ର ଓଝା,ଦିପ୍ତି ରଞ୍ଜନ ପାତ୍ର, ଦେବୀ ପ୍ରାସାଦ ନାୟକ,ପ୍ରମୁଖ ଯୋଗଦେଇଥିଲେ। କୋଣାର୍କ ଏନ୍ଏସିରେ ୩ଟି ପ୍ରବେଶ ପଥ ତୋରଣ ଲଗାଇବା ନିମନ୍ତେ ପ୍ରାୟ ଏକ କୋଟି ଟଙ୍କା, ଡିଜିଟାଲ ଏଲ୍ଇଡି ବିଜ୍ଞାପନ ବୋର୍ଡ ନିମନ୍ତେ ୯୭ ଲକ୍ଷ ଟଙ୍କା,

ତ୍ରିରଙ୍ଗା ଫ୍ଲେକ୍ସିବୁଲ ଏଲ୍ଇଡି ଲାଇଟ୍ ନିମନ୍ତେ ପ୍ରାୟ ୧୫ଲକ୍ଷ ଟଙ୍କା,ମୁକ୍ତା ଯୋଜନା, ରାସ୍ତା ନିର୍ମାଣ ଆଦି ଉନ୍ନୟନମୂଳକ କାର୍ଯ୍ୟରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବରେ ବିନା ଟେଣ୍ଡରରେ ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କାର ଏକାଧିକ କାମ ଦିଆଯାଇ ଅର୍ଥ ହରିଲୁଟ ହୋଇଥିବା ଏନ୍ଏସିର ୫ନମ୍ଵର ୱାର୍ଡ କାଉନସିଲର ଇଂ ନିହାର ରଂଜନ ବେଉରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ ଦାବିରେ ଆସନ୍ତା ଅଗଷ୍ଟ ୩୧ତାରିଖ ସ୍ବାୟତ୍ତଶାସନ ଦିବସରେ କୋଣାର୍କ ଏନ୍ଏସି ସମ୍ମୁଖରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇବା ପାଇଁ ନିଷ୍ପତ୍ତି ହୋଇଛି।

Exit mobile version