କ୍ୟାବିନେଟ ବୈଠକରେ ୮ ବ୍ଲକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ।

ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ । କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ମୋଟ ୨୦ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ ମୁକାବିଲା ନେଇ ବଡ଼ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କଟକଣା ନିୟମକୁ ଉଲଂଘନ କଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି ନିଷ୍ପତି ହୋଇଛି । ୨୦୦୭ ଓ ୨୦୧୫ ଶିଳ୍ପନୀତି ଓ କାରଖାନା ଆଇନ ୧୯୫୮ରେ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମ ଅନୁସାରେ କାରଖାନାରେ ଓଭର ଟାଇମ ବୃଦ୍ଧିକୁ କ୍ୟାବିନେଟ ମଂଜୁରୀ ମିଳିଛି । ୩ ମାସରେ ୭୫ ଘଣ୍ଟା ଓଭର ଟାଇମ ୧୧୫ ଘଣ୍ଟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅନୁରୂପ ଭାବରେ ତୃତୀୟ ଶ୍ରେଣୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସାକ୍ଷାତକାର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।

ଗ୍ରୁପ୍ ସି ପରୀକ୍ଷା ପାଇଁ ଆଉ କୌଣସି ସାକ୍ଷାତକାର ପରୀକ୍ଷା ହେବ ନାହିଁ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି । କେବଳ ଲିଖିତ ଓ ଦକ୍ଷତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନିଯୁକ୍ତି ମିଳିବ ବୋଲି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ପୂର୍ବରୁ ଘୋଷିତ ଗଙ୍ଗାଧର ମେହେର ବୃହତ୍ ଜଳସେଚନ ପ୍ରକଳ୍ପ ନିମନ୍ତେ ୧୧୩୮.୬୩ କୋଟି ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁରୀ ଦିଆଯାଇଛି । ବିଜେପୁର ନିର୍ବାଚନ କ୍ଷେତ୍ରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଏହାଦ୍ବାରା ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳ ଉପକୃତ ହେବ । ଏହି ପ୍ରକଳ୍ପରେ ଏହାଦ୍ୱାରା ୨୫ ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଛନ୍ତି । ଅନୁରୂପ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି । ପୂର୍ବରୁ ପ୍ରଚଳିତ ନିର୍ମଳ ସ୍କିମର ଅବଧି ବୃଦ୍ଧି କରାଯିବ ଏବଂ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ ଯୋଜନା କାର୍ଯ୍ୟକାରୀ ହେବ । ଅନୁରୂପ ଭାବରେ ଓଡ଼ିଶା ସ୍ବାସ୍ଥ୍ୟବୀମା କମିଟି ଗଠନ ହେବ । ଏହାଦ୍ୱାରା ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧିକାରୀ ଲାଭ ପାଇପାରିବେ ।

୮ ବ୍ଲକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛି । କାଲିମେଳା, ବୈପାରୀଗୁଡ଼ା, ସାରସକଣା, ଭୋଗରାଇ, କାଶୀନଗର, ଗୁମା ଓ ମାହାଙ୍ଗା ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯକାରୀ ହେଇଛି । ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କ୍ଷତିଗ୍ରସ୍ତଙ୍କୁ ପୁରୀ ମଙ୍ଗଳାଘାଟରେ ୬.୬୬୧ ଏକର ଜମି ମାଗଣା ଦିଆଯିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ କ୍ଷତିଗ୍ରସ୍ତଙ୍କଠାରୁ କୌଣସି ଜମି ରେଜିଷ୍ଟ୍ରେସନ ଫି ଓ ଷ୍ଟାମ୍ପ ଡ୍ୟୁଟି ନିଆଯିବ ନାହିଁ ବୋଲି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି ।

Exit mobile version