ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ପାଇଁ ପିଏମ୍-ଜନମନ
ଆଦିବାସୀ ମାନଙ୍କ ସାମାଜିକ-ଅର୍ଥନୈତିକ କଲ୍ୟାଣ ପାଇଁ ସୂଚନା ସହିତ ଏହାର ପରିପୃଷ୍ଠତା ମଧ୍ୟ ଏକାନ୍ତ ଆବଶ୍ୟକ : ଜିଲ୍ଲାପାଳ
୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ପିଭିଟିଜି ମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖି, କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପିଏମ୍-ଜନମନ ଯୋଜନା । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ଆଗାମୀ ୨୦ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପିଭିଟିଜିଙ୍କ ପାଇଁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ। ଏହାକୁ ଜନାଭିମୁଖୀ କରିବାପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ସମସ୍ତ ବିଭାଗୀୟ ଅଧିକାରୀ ବିଶେଷ କରି ଅନୁସୂଚିତ ଜନଜାତି ଓ ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁକ୍ରବାର, ସ୍ଥାନୀୟ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷରେ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲାର ସମସ୍ତ ପ୍ରକଳ୍ପ ପ୍ରଶାସକ ମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତା ବିଷୟରେ ପର୍ଯ୍ୟାଲୋଚନା କରିଥିଲେ। ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନାରେ ସମୁଦାୟ ୧୪ଟି ବ୍ଲକର ୬୭ଟି ଗାଁ ଅନ୍ତର୍ଭୁକ୍ତ ଅଟନ୍ତି। ଏଣୁ ସମଗ୍ର ଜିଲ୍ଲାରେ ପିଏମ୍-ଜନମନ ଯୋଜନାକୁ କାର୍ଯ୍ୟକାରୀ କରି ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ମାଧ୍ୟମରେ ଏହି ସମସ୍ତ ଗାଁ ଗୁଡିକୁ ପରିପୃଷ୍ଠ କରିବାପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନିତା ଏହି ଯୋଜନାରେ ୨୩ ଅଗଷ୍ଟ ଠାରୁ ଆସନ୍ତା ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପିଏମ୍-ଜନମନ-ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ସମସ୍ତ ପିଭିଟିଜି ଗ୍ରାମ ମାନଙ୍କରେ ଚାଲିବ।
