Home ଓଡ଼ିଶା ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ଜିଲ୍ଲାପାଳଙ୍କ ସହିତ ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ହିତାଧିକାରୀଙ୍କୁ ବ୍ୟବସ୍ଥା ସଂପର୍କରେ ସଠିକ୍ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ସୁଭଦ୍ରା ଯୋଜନା ସଂପର୍କରେ ଗତକାଲି କ୍ୟାବିନେଟରେ ଅନୁମୋଦନ ପରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହାର କାର୍ଯ୍ୟକାରିତା ନେଇ ଅବଗତ କରାଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଏହି ଯୋଜନା ସଂପର୍କରେ ପ୍ରଥମେ ଭଲଭାବେ ବୁଝି କାର୍ଯ୍ୟକାରିତା ନେଇ ଉନ୍ନୟନ କମିଶନର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ହିତାଧିକାରୀମାନେ ଯେପରି ସଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ସୂଚନା ପ୍ରଦାନ ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି । ହିତାଧିକାରୀମାନଙ୍କର ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । ଯେପରି ଏହି ଯୋଜନା ଅଧିନରେ ଆସୁଥିବା କୌଣସି ହିତାଧିକାରୀ ସୁବିଧାରୁ ବାଦ ନପଡିବେ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶର୍ମା ଯୋଜନାର କାର୍ଯ୍ୟ କରିବା ସଂପର୍କରେ ବୁଝାଇଲେ । ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରତି ବର୍ଷରେ ୧୦ ହଜାର କରି ୫ ବର୍ଷରେ ପାଇବେ । ପ୍ରତି ବର୍ଷ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ହିତାଧିକାରୀମାନଙ୍କ ବୟସ ୨୧ ବର୍ଷ ବା ତଦୁର୍ଦ୍ଧ୍ଵ ଏବଂ ୬୦ ବର୍ଷରୁ କମ ହେଉଥିବ । ଆଧାର କାର୍ଡରେ ଉଲ୍ଲିଖିତ ବୟସ ଓ ଜନ୍ମତାରିଖ ବିଚାରକୁ ନିଆଯିବ । ଯୋଜନା ସଂପର୍କରେ ଏବଂ କେଉଁମାନେ ଏହି ଯୋଜନା ଅଧିନରେ ସହାୟତା ପାଇବାକୁ ଯୋଗ୍ୟ ଓ କେଉଁମାନେ ବାଦ ପଡୁଛନ୍ତି ସେ ସଂପର୍କରେ ବିଶଦ୍ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ । ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ,କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ବଣ୍ଟନ କରାଯିବ । କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ ଏବଂ ସେଠାରେ ଏହାର ଡିଜିଟାଇଜେସନ ହେବ ଓ ଆବେଦନକାରୀମାନଙ୍କୁ ଫର୍ମ ଦାଖଲର ପ୍ରମାଣ ସ୍ୱୀକୃତିର ପ୍ରିଣ୍ଟ ମିଳିବ । ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହିତାଧିକାରୀମାନେ ସମସ୍ତେ ଯେପରି ସୁବିଧାରେ ଆବେଦନ କରିପାରିବେ, ସେଥିପାଇଁ ଯଥେଷ୍ଟ ସଂଖ୍ୟକ ଫର୍ମ ସୁବିଧା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହିତାଧିକାରୀଙ୍କ ଆଧାରକାର୍ଡ ସହ ସେମାନଙ୍କ ବ୍ୟାଙ୍କ ଖାତା ସଂଯୁକ୍ତ ଥିବ । ଆବେଦନ ପାଇଁ ଆଧାର କାର୍ଡ ସହ ହିତାଧିକାରୀଙ୍କ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଚ ଥିବା ଆବଶ୍ୟକ । ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ପ୍ରେସ ବିବୃତ୍ତି ଜରିଆରେ ହିତାଧିକାରୀମାନଙ୍କୁ ସୂଚନା ପ୍ରଦାନ ସଂପର୍କରେ ଜଣାଯିବା ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ବିଭିନ୍ନ ପ୍ରମୁଖ ସ୍ଥାନରେ ହୋଡିଂ, ବ୍ୟାନର ଆଦି ଲଗାଯିବା, ସାମାଜିକ ଗଣମାଧ୍ୟମ ଓ ସମ୍ବାଦପତ୍ର ତଥା ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଗୁରୁତ୍ୱ ଦେଇଥିଲେ । ଯୋଜନା କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳମାନେ ନିଜେ କାର୍ଯ୍ୟ ତଦାରଖ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ବା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ ବରିଷ୍ଠ ଅଧିକାରୀ ଭାବେ ମନୋନୀତ କରିବେ । ମହାନଗର ନିଗମ ସ୍ତରରେ କମିଶନରମାନେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ଦେଇ ଆବଶ୍ୟକ ବ୍ୟବସ୍ଥା କରିବେ । ସ୍ଥାନୀୟ ବିଧାୟକ, ସାଂସଦ ଏବଂ ସରପଞ୍ଚ ଆଦି ଜନ ପ୍ରତିନିଧିଙ୍କ ସହାୟତାରେ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କିତ ବୈଠକ ହେବ । ପ୍ରତି ସିଡିପିଓ କାର୍ଯ୍ୟାଳୟରେ ସହାୟତା କେନ୍ଦ୍ର (ହେଲପ୍ ଡେକ୍ସ) ସ୍ଥାପନ ହେବ , ଫଳରେ ହିତାଧିକାରୀମାନେ ସେମାନଙ୍କର ଆବଶ୍ୟକ ସୂଚନା ସଂପର୍କରେ ପଚାରି ବୁଝି ପାରିବେ । ସୁଭଦ୍ରା ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ତରଫରୁ ଓକାକ୍ ସହାୟତାରେ ଏକ ନିଃଶୁଳ୍କ “କଲ ସେଣ୍ଟର” ସେବା କାର୍ଯ୍ୟ କରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରକାଶ କରିଛନ୍ତି । ଯେଉଁ ଯେଉଁ ସ୍ଥାନରେ ଯୋଜନା କାର୍ଯ୍ୟକାରିତା ବେଳେ ହିତାଧିକାରୀମାନଙ୍କର ଅସୁବିଧା ଦୃଷ୍ଟିକୁ ଆସିବ, ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026