ବିଦ୍ୟାଳୟ କକ୍ଷରେ ପଶିଲା ବର୍ଷାପାଣି : ତିନିବର୍ଷ ତଳୁ ଲାଗିରହିଛି ସମସ୍ୟା – ପ୍ରଶାସନିକ ଉଦାସୀନତାରୁ ପିଲାଙ୍କ ପାଠପଢ଼ା ବନ୍ଦ

୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପୁରୀ ଜିଲ୍ଲା ତଥା ଗୋପ ବ୍ଲକର ସିମିଳି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ବର୍ଷାପାଣି ପଶିରହିଥିଵାରୁ କୋମଳମତି ଶିଶୁମାନଙ୍କର ପାଠପଢ଼ା ବନ୍ଦ ରହିଛି । ବର୍ଷାପାଣି ବିଦ୍ୟାଳୟ ପରିସରରୁ ନିଷ୍କାସନ ହୋଇପାରୁ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ପ୍ରତିଦିନ ପିଲାମାନେ ସ୍କୁଲକୁ ଆସୁଥିଲେ ମଧ୍ୟ ଶ୍ରେଣୀ କକ୍ଷରେ ବର୍ଷାପାଣି ଜମିଥିଵାରୁ ପାଠପଢା ହୋଇପାରୁନାହିଁ। ପାଣିକାଦୁଅ ପରିପୂର୍ଣ୍ଣ ସ୍କୁଲ ପରିସରରେ ପିଲାମାନେ ଵୁଲି ଵୁଲି ଅପରିଷ୍କାର ପରିବେଶରେ ମଧ୍ୟାହ୍ନ ଭୋଜନ ଖାଇ ଵିନା ପାଠପଢ଼ାରେ ଘରକୁ ଫେରୁଛନ୍ତି। ବର୍ଷାଋତୁରେ ଏପରି ସମସ୍ୟା ବିଗତ ତିନଵର୍ଷଧରି ଲାଗିରହିଛି ।

ତିନିବର୍ଷ ପୂର୍ଵେ ସିମିଳି ପଞ୍ଚାୟତ ପକ୍ଷରୁ ବିଦ୍ୟାଳୟର ଉତ୍ତରପାର୍ଶ୍ଵରେ ଥିବା ଖେଳପଡିଆକୁ ମାଟି ପକାଇ ଉଚ୍ଚା କରି ଦିଆଯିବା ପରେ ବିଦ୍ୟାଳୟ ପରିସରରୁ ଜଳ ନିଷ୍କାସନ ହୋଇପାରୁନାହିଁ । ବିଦ୍ୟାଳୟର ପାରମ୍ପରିକ ଜଳ ନିଷ୍କାସନ ପଥକୁ ପଞ୍ଚାୟତ ପକ୍ଷରୁ ପୋତଯିଵା ସମୟରେ ପ୍ରଧାନଶିକ୍ଷକଙ୍କ ପରାମର୍ଶ ଓ ଅଭିଯୋଗ ପ୍ରତି ଗୋପ ବ୍ଲକ ଯନ୍ତ୍ରୀ ଓ ଵିଡିଓ କର୍ଣ୍ଣପାତ କରିନଥିଲେ। ବିଦ୍ୟାଳୟ ପରିସରରୁ ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍ ଵ୍ୟଵସ୍ଥା କରିବା ନିମନ୍ତେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମିଳି ସରପଞ୍ଚ,

ଗୋପ ଵିଡିଓ ଓ ଗୋପ ବ୍ଲକ ଶିକ୍ଷାଧିକାରୀଙ୍କୁ ବାରମ୍ଵାର ପତ୍ରଲେଖି ଅନୁରୋଧ କରିଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ବ ଦେଇନାହାନ୍ତି। ବ୍ଲକ ଶିକ୍ଷା ଅଧିକାରୀଙ୍କ ଖାମଖିଆଲି ଓ ବେପରୁଆ ମନୋଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଶିକ୍ଷା କମିଟି ପକ୍ଷରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପର୍ହି ଙ୍କୁ ପଚାରିବାରେ ସେ କୁହନ୍ତି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହିତ କଥା ହୋଇ ସମାସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ସିମିଳି ଗ୍ରାମପଞ୍ଚାୟତର ସରପଞ୍ଚ ବିଶ୍ବଜିତ ସ୍ବାଇଁଙ୍କୁ ପଚାରିବାରେ ସେ କୁହନ୍ତି ବ୍ଲକ ପ୍ରଶାସନ ସହ ଆଲୋଚନା କରି ବିଦ୍ୟାଳୟ ପରିସରରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗୋପ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଲ କୁମାର ବ୍ରହ୍ମା ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ ସେ ତାଙ୍କ ଫୋନ ଉଠାଇ ନ ଥିଲେ ।

 

Exit mobile version