ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା, ଧରମପଲ୍ଲୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡିଆ :-> ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଧରମପଲ୍ଲୀ ଆଶ୍ରମ ବିଦ୍ୟାଳୟର ଜଣେ ଛାତ୍ର ଅସୁସ୍ଥତା ଥିବା ସମୟରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳ ହେବା ସହ ନିଜର ଦାୟିତ୍ଵରେ ଅବହେଳା ଲାଗି ସେହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଷମା ପୋଇଵାଙ୍କୁ ଆଜି ନିଳମ୍ବନ କରାଯାଇଛି ।  ଏଥିସହ ସ୍କୁଲର ପରିଚାଳନା ଲାଗି ୩ ଜଣ ନୂତନ ଶିକ୍ଷକଙ୍କୁ ନିଯୁକ୍ତି କରାଯିବା ସହ ତୁରନ୍ତ ଏକନୂତନ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ଵ ପ୍ରଦାନ କରାଯିବା ନେଇ ଆଜି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି ଧରମପଲ୍ଲୀ ଆଶ୍ରମ ବିଦ୍ୟାଳୟ ରେ ପାଠ ପଢୁଥିବା ନନ୍ଦୀୱାଡା ଗ୍ରାମର ଇଙ୍ଗା ମାଡି ଙ୍କ ୧୨ ବର୍ଷର ପୁଅ ଶୁକା ଗତ ୧୪ ତାରିଖରୁ ଅସୁସ୍ଥ ଥିବା ନେଇ ପରିବାର ଲୋକ ସୂଚନା ପାଇଥିଲେ।

ଏହାପରେ ୧୫ ତାରିଖ ଦିନ ଶୁକା କୁ ନେବା ପାଇଁ ପିତା ଇଙ୍ଗା ସ୍କୁଲକୁ ଆସିଥିଲେ ମଧ୍ଯ ବିଭିନ୍ନ ଆଳ ଦେଖାଇ ପ୍ରଧାନ ଶିକ୍ଷୟତ୍ରୀ ଛାଡି ନଥିଲେ। ତେବେ ଶୁକା ଅତ୍ୟନ୍ତ ଗୁରୁତର ହେବା ପରେ ଗତ ୧୮ ତାରିଖ ଦିନ ପ୍ରଧାନ ଶିକ୍ଷୟତ୍ରୀ ଶୁକା କୁ ଘରକୁ ଯିବାକୁ ଅନୁମତି ଦେବାରୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଶୁକା ଘରେ ପହଂଚି ଥିଲା। ତେବେ ଘରେ ପହଂଚିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଶୁକା ପ୍ରାଣ ହରାଇ ଥିବାରୁ ପରିବାର ଲୋକ ସମେତ ସ୍ଥାନୀୟ ଜନ ପ୍ରତିନିଧି ଓ ଅଂଚଳବାସୀ ଧରମପଲ୍ଲୀ ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଶୁକାର ମର ଶରୀର ରଖି ଧାରଣା ଦେଇଥିଲେ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଘଟଣାର ତଦନ୍ତ ସହ ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନେଇ ଆଶ୍ଵାସନା ଦିଆଯିବାରୁ ଲୋକେ ଶାନ୍ତ ପଡିଥିଲେ। ଏ ନେଇ ମାତ୍ର ୪୮ ଘଣ୍ଟା ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ପ୍ରକିୟା ଶେଷ କରି କାର୍ଯ୍ୟାନୁଷ୍ଠାନ ସ୍ଵରୁପ ଉକ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଅବହେଳା ଓ ଛାତ୍ର ଜଣକୁ ଉଚିତ ସ୍ଵାସ୍ଥ୍ୟ ସେବା ପ୍ରଦାନରେ ବିଫଳ ଲାଗି ଅନିର୍ଦ୍ଧିଷ୍ଟ କାଳ ପାଇଁ ନିଳମ୍ବନ କରାଯାଇଛି। ଏଥିସହ ସେବା କ୍ଷେତ୍ରରେ ଅବହେଳା କିମ୍ବା ତ୍ରୁଟି ପ୍ରଦର୍ଶନ ହେଲେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଏଭଳି ଦୃଢ଼ ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି।

Exit mobile version