Home ଓଡ଼ିଶା ଜଳବାହିତ ଓ ଭେକଫରବାହିତ ରୋଗ ସଂପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜିରୋ କାଜୁଆଲିଟି ଉପରେ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ଗୁରୁତ୍ୱ ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟ ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚଳିତ ମୌସୁମୀ ଋତୁରେ ଜଳବାହିତ ଓ ଭେକଫର ବାହିତ ରୋଗ ଯଥା-ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ରୋଗରେ ସଂକ୍ରମିତ ହୋଇ ଯେପରି ରାଜ୍ୟର ଜଣେ ବି ବ୍ୟକ୍ତି ମୃତୁ୍ୟବରଣ ନକରନ୍ତି, ତା’ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହିସବୁ ରୋଗର ପ୍ରତିରୋଧ ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାପୂର୍ବକ ଜନସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଆଜି ଅପରାହରେ ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଜଳବାହିତ ଓ ଭେକଫର ବାହିତ ରୋଗ ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ରୋଗରେ ସଂକ୍ରମିତ ହେଉଥିବା ଲୋକମାନଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ ଓ କି୍ରୟାଶୀଳ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେ ଚିକିତ୍ସକ ଓ ସହଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଡେଙ୍ଗୁ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡ଼ିକାଲ କଲେଜମାନଙ୍କରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା, ମ୍ୟାଲେରିଆ ନିରାକରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରି ବଣ୍ଟନ ଏବଂ ଡାଇରିଆ ପ୍ରତିରୋଧ ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଓଆର୍ଏସ୍ ପ୍ୟାକଟ୍ ଓ ଜିଙ୍କ୍ ଔଷଧର ବଣ୍ଟନ ଉପରେ ମନ୍ତ୍ରୀ ଡ. ମହାଲିଙ୍ଗ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ୧୫ଟି ଜିଲ୍ଲା ଯଥା-କଳାହାଣ୍ଡି, ବଲାଙ୍ଗିର, ଗଞ୍ଜାମ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ଗଜପତି, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ ରୋଗର ବର୍ତ୍ତମାନର ସ୍ଥିତି ଓ ପରିସଂଖ୍ୟାନର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଯେଉଁ ଅଞ୍ଚଳଗୁଡ଼ିକରେ ଜଳବାହିତ ଓ ଭେକଫରବାହିତ ରୋଗ ବ୍ୟାପୁଛି ସେସବୁ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ମନ୍ତ୍ରୀ ଡ. ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ଘର ଘର ଯାଇ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଖୋର୍ଦ୍ଧା, ବଲାଙ୍ଗିର, ଗଞ୍ଜାମ ସମେତ ଅନ୍ୟ କିଛି ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଡାକ୍ତରଖାନାମାନଙ୍କରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜିଲ୍ଲାମାନଙ୍କର ଜଳବାହିତ ଓ ଭେକଫର ବାହିତ ରୋଗର ପରିସଂଖ୍ୟାନ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶିକା ରାଜ୍ୟର ଷ୍ଟପ୍ ଡାଇରିଆ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ସମେତ ସମସ୍ତ ନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ବିଭିନ୍ନ ମେଡ଼ିକାଲ କଲେଜର ଅଧୀକ୍ଷକ ଏବଂ ୧୫ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026