ରାଜ୍ୟ ବିଜେପି ସରକାର ଓଡ଼ିଆ ଅସ୍ମିତା ନୁହେଁ ବରଂ କେନ୍ଦ୍ର ଅସ୍ମିତା ପାଇଁ କାର୍ଯ୍ୟରତ : ବିଜେଡି

 ଓଡ଼ିଆ ଅସ୍ମିତା ନାରା ଏକ ଜୁମଲାରେ ପରିଣତ ହୋଇଛି

 ୪୧ ବର୍ଷ ପରେ ଅଣଓଡ଼ିଆ ମୁଖ୍ୟ ଶାସନ ସଚିବ ପଦରେ ବସିଲେ

୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ବିଜୁ ଜନତା ଦଳର ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉପରେ ଆଜି ବିଜେପି ଉପରେ ବର୍ଷିଛନ୍ତି । ଓଡ଼ିଆ ଅସ୍ମିତାକୁ ଏକ ପ୍ରସଙ୍ଗ କରି ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲା କିନ୍ତୁ ତାଙ୍କର ଏହି ଦୁଇ ମାସର ଶାସନ ସମୟରେ ଓଡ଼ିଆ ଅସ୍ମିତା ଚୁଲିକି ଯାଇଛି ।

ଓଡ଼ିଆ ଅସ୍ମିତା କଣ ସଠିକ ଭାବେ ବୁଝି ନଥିବା ବିଜେପି ରାଜ୍ୟବାସୀଙ୍କୁ ଓଡ଼ିଆ ଅସ୍ମିତା ଉପରେ ଜ୍ଞାନ ବାଣ୍ଟିବାକୁ ଅପଚେଷ୍ଟା କରୁଛି, ଯାହା ଆଜି ପର୍ଦାଫାଶ ହେଲାଣି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ । ସେ ଆହୁରି କହିଥିଲେ, ପ୍ରାୟ ଏକଚାଳିଶ ବର୍ଷ ପରେ ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାରଙ୍କ ଦ୍ଵାରା ଜଣେ ଅଣ ଓଡିଆଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆସନରେ ନିଯୁକ୍ତି ଦିଆଗଲା ।

ତାଙ୍କୁ ପୁଣି ଶ୍ରୀମନ୍ଦିର ପରିଚାଳନା କମିଟିର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ରାଜ୍ୟର ରାଜସ୍ୱ ମନ୍ତ୍ରୀ ଭାରତ ମାତା କି ଜୟ ଜାଗାରେ ଡାରତ ମାତା କି ଜୟ ଲେଖୁଛନ୍ତି । ତେଣୁ ବିଜେପିର ଓଡ଼ିଆ ଅସ୍ମିତା ଏକ ଜୁମଲାରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ଓ କେନ୍ଦ୍ର ନିର୍ଦେଶରେ ଓଡ଼ିଶାରେ ଶାସନ ଚାଲିଛି ବୋଲି କହିବା ସହ କେନ୍ଦ୍ର ଅସ୍ମିତା ରକ୍ଷା କରିବାରେ ରାଜ୍ୟ ସରକାର ବ୍ୟସ୍ତ ଅଛନ୍ତି ବୋଲି କହିଥିଲେ ।

Exit mobile version