୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସରକାରକଂ ମାଳମାଳ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ନିସ୍ଫଳ । ଯୋଜନାର ଭିଡ ଆଉ ଭୋକର ଭୂଗୋଳ ପୃଷ୍ଠା ମଣ୍ଡନ କରି ,ଲୋକଲୋଚନକୁ ଆସିଛି ଆଉ ଏକ ନଗଡାର ଚିତ୍ର । ପାହାଡ ତଳେ , ଝାଟି ମାଟି ଛଣ ଛପର ଘର । ଫୁଙ୍ଗୁଳା ଦେହରେ ଗୋଟି ଗୋଟି ବାରିହୋଇ ପଡୁଛି ପଂଜରା ହାଡ । ତା ସାଙ୍ଗକୁ ନୁଖୁରା ମୁଣ୍ଡ , କୋଟରଗତ ଚକ୍ଷୁ । କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି । ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା ନାଁ ଧରିଲେ ସେମାନଙ୍କ ପରିବାର ମୁହଁ ମୋଡୁଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ପଶ୍ଚିମାଞ୍ଚଳ କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ ଘେରା କୋହ୍ଲସାହିରେ ନଗଡ଼ାର ଏଭଳି ଭିନ୍ନ ଏକ ଚିତ୍ର ପ୍ରାଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

