ଅସାଧୁ ବ୍ୟବସାୟୀଙ୍କ ସହ ବିଜେପିର ନିବିଡ ସଂପର୍କ କାର୍ଯ୍ୟାନୁଷ୍ଠାନରେ ବାଧକ ସାଜୁଛି
ସରକାରଙ୍କ ବିବୃତ୍ତି ଓ କାର୍ଯ୍ୟକ୍ରମ ମଧ୍ୟରେ ତାଳମେଳ ରହୁନି
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଗତ ପ୍ରାୟ ଏକ ମାସ ଧରି ରାଜ୍ୟରେ ଆଳୁ ସମସ୍ୟା ଦେଖା ଦେଇଛି ଯାହା ଥମିବାର ନା ନେଉନାହିଁ । ରାଜ୍ୟ ସରକାରଙ୍କ ଆଳୁ ମହଜୁତକାରୀଙ୍କ ଉପରେ କୋହଳ ମନୋଭାବ ଓ ଆଳୁ ସମସ୍ୟାର ସମାଧାନ ପାଇଁ ଆନ୍ତରିକତାର ଅଭାବ ଯୋଗୁ ସମସ୍ୟା ଯେଉଁଠିକୁ ସେଇଠି ରହିଛି ।
ସରକାର ଆଳୁ ଦର ନିୟନ୍ତ୍ରଣରେ ରହିଥିବା ଦାବି କରୁଥିଲେ ମଧ୍ୟ ଆଳୁ ଦର କିଲୋ ପଚାଶ ଟଙ୍କା ରହିଛି । ଅନ୍ୟ ରାଜ୍ୟରୁ ଆଳୁ ଆଣିବା ନେଇ ସମସ୍ୟା ଥିବା କଥା କୁହା ଯାଉଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଆଳୁ ମହଜୁତ ରଖାଯାଇ ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି । ଏହି ସମସ୍ୟା ପ୍ରତି ବିଜେପି ସରକାରଙ୍କ ଉଦାସିନତା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି । ଆଳୁ ମହଜୁତ ରଖୁଥିବା ଅସାଧୁ ବ୍ୟବସାୟୀଙ୍କ ଭାରତୀୟ ଜନତା ପାର୍ଟି ସହିତ ନିବିଡ଼ ସମ୍ପର୍କ ରହିଥିବାରୁ, ସରକାର ଏ ପର୍ଯ୍ୟନ୍ତ ଏହି ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।
