ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ : ଭାପୁର ବନ୍ୟାଞ୍ଚଳ ପରିଦର୍ଶନ

୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର  :-> ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଦେଇ ପ୍ରବାହିତ ହେଉଥିବା ମହାନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ଭାପୁର ବ୍ଲକର ପଥରଚକଡା଼ ଗ୍ରାମଠାରୁ ଫତେଗଡ ପଞ୍ଚାୟତ ପର୍ଯ୍ୟନ୍ତ ୨୦ କିଲୋମିଟର ମଧ୍ୟରେ ମାଧପୁର,କେନ୍ଦୁପଲ୍ଲି,ପଦ୍ମାବତୀ, କରବର,  ଶାସନ ପଞ୍ଚାୟତ ଓ ଫତେଗଡ଼ ପଞ୍ଚାୟତ ବନ୍ୟାପ୍ଲାବିତ ଅଞ୍ଚଳ ହୋଇଥିବାରୁ ଗୁରୁବାର ଦିନ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଫତେଗଡ ପଞ୍ଚାୟତର ମଣିପୁର ,କରବର ପଞ୍ଚାୟତର ନଣ୍ଡାବର, କରବର, ବଡବର, ମାଣିତ୍ରି ଆଦି ବନ୍ୟା ପ୍ଲାବିତ ଗ୍ରାମ ପରିଦର୍ଶନ କରି ଫେରିଛନ୍ତି ।

 

ମହାନଦୀ କୁଳିଆବାସୀ ବିପଦର ଆଶା ଓ ଆଶଙ୍କାରେ ରହିଥିବାରୁ ରାଜ୍ୟ ବିଧାନସଭା ବାଚସ୍ପତି ଶ୍ରୀମତୀ ପାଢ଼ୀ, ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡ଼ା,ତହସିଲଦାର ଅର୍ଜୁନ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକ, ସ୍ଥାନୀୟ ସରପଂଚ ମଞ୍ଜୁଲତା ସେଠୀ ଓ ପୂର୍ବତନ ସରପଂଚ ତୋଫାନ କୁମାର ପ୍ରଧାନ ପ୍ରମୁଖଙ୍କ ସହିତ ସ୍ଥାନୀୟ ଜନ ପ୍ରତିନିଧି ମାନେ ଜନସାଧାରଣଙ୍କୁ ଭେଟି ଭଲମନ୍ଦ କଥା ପଚାରି ବୁଝିଥିଲେ । କାଳିଗିରି ବ୍ରିଜଠାରୁ ମଣିପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ୪ଫୁଟ ଉଚ୍ଚ ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି।

 

ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଥିବାରୁ ରିଲିଫ ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ସଜାଗ ରହିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଜନ ସାଧାରଣମାନଙ୍କ ଯାତାୟତ ପାଇଁ ଏକ ଡଙ୍ଗା ଯୋଗାଇଦିଆଯିବ ସହିତ ଏକ ଡ଼ାକ୍ତରୀ ଦଳ ପଠାଇ ଦିଆଯାଇଥିବା ଜଣା ପଡ଼ିଛି। ବାଘମାରି ଠାରୁ ଦଶପଲ୍ଲା ପର୍ଯନ୍ତ ସଂଯୋଗ କରୁଥିବା ୪୮ ନଂ ରାଜ୍ୟ ରାଜପଥର ଫତେଗଡ ଗ୍ରାମ ନିକଟସ୍ଥ କାଳିଗିରି ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାର ଉଭୟ ପାର୍ଶ୍ବକୁ ବନ୍ଦ କରିଦିଆଯାଇଛି।

ମାତ୍ର ସ୍ଥାନୀୟ ଜନ ସାଧାରଣ ଜୀବନକୁ ବାଜି ଲଗାଇ ପାଦରେ ଚାଲି ଚାଲି ଯାତାୟତ କରୁଛନ୍ତି, ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି। କରବର ପଞ୍ଚାୟତର ମାଣିତ୍ରି ଗ୍ରାମଠାରୁ କଟକ ଜିଲ୍ଲା ବୈଦେଶ୍ୱର ଗ୍ରାମକୁ ସଂଯୋଗ କରୁଥିବା କାଳିଗିରି ବ୍ରିଜ ଉପରେ ୩ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି । ତେଣୁ ଉକ୍ତ ବ୍ରିଜ ଟିକୁ ସୂ – ଉଚ୍ଚ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରିଥିଲେ। ତେଣୁ ଉକ୍ତ ଦାବିକୁ ହୃଦୟଗମ କରି ମାନ୍ୟବର ବାଚସ୍ପତି ଓ ସ୍ଥାନୀୟ ବିଧାୟକ ଏକ – ଉଚ୍ଚ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

 

Exit mobile version