ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ…

ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ବାଲେଶ୍ୱର :-

କଂସ ମହାରାଜା ଅତ୍ୟାଚାର ଦେଖି
ବିଷ୍ଣୁ ନେଲେ ଅବତାର
ଦ୍ବାପର ଯୁଗରେ ମଥୁରା ନଗରେ
ଜନ୍ମ ନେଲେ ଦାମୋଦର।
ଭାଦ୍ରବ ମାସର କୃଷ୍ଣପକ୍ଷ ତିଥୀ
ଅଟଇ ପରା ଅଷ୍ଟମୀ
ଏହି ଦିନ ପ୍ରଭୁ ଜନମ ନେବାରୁ
ନାମ ହେଲା ଜନ୍ମାଷ୍ଟମୀ।
ପିତା ବାସୁଦେବ ମାତା ଯେ ଦେବକୀ
ଅଷ୍ଟମ ଗର୍ଭରୁ ଜାତ
କଂସ ବନ୍ଦୀଶାଳେ ସେଦିନ ଜନମି
ଗୋପେ ଲାଳିତ ପାଳିତ।
ପାଳିଲେ ଯଶୋଦା ସହ ନନ୍ଦରାଜା
କୃଷ୍ଣଙ୍କୁ ଅତି ସ୍ନେହରେ
ଦଣ୍ତେ ଛାଡି ତାଙ୍କୁ ନ ଯା’ନ୍ତି ଯଶୋଦା
ରଖିଥାନ୍ତି ନଜର ରେ।
ଶୁଣିଣ ଖବର କଂସ ମହାରାଜା
ହୋଇଗଲେ ଭୟଭୀତ
କିଭଳି ଉପାୟେ ମାରିବେ କୃଷ୍ଣଙ୍କୁ
ହୋଇଗଲେ ସେ ଚିନ୍ତିତ।
ରାଜାଙ୍କ ଆଦେଶ ଭିଡିଗଲେ ଭୃତ୍ୟ
କୃଷ୍ଣଙ୍କୁ ମାରିବା ପାଇଁ
ସାମାନ୍ୟ ଶିଶୁ ଯେ ନୁହଁନ୍ତି ଶ୍ରୀକୃଷ୍ଣ
କଂସ ତାହା ଜାଣେ ନାହିଁ।
ଶକଟାସୁର ଠୁ ବକାସୁର ଯାଏ
ସମସ୍ତେ ହେଇଲେ ହତ
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ଶ୍ରୀକୃଷ୍ଣ
ପୁତନା ହେଲା ନିହତ।
ଗୋପେ ଗୋପବାଳା ସଙ୍ଗେ କଲେ ଲୀଳା
ଯମୁନା ନଦୀ ଘାଟରେ
ଗଉଡୁଣୀଙ୍କର ଲବଣି ଚୋରାଇ
ଖାଇଲେ ଖୁସି ମନରେ।
କଂସଙ୍କ ଡାକରା ପାଇ ଦୁଇଭାଇ
କୃଷ୍ଣ ଆଉ ବଳରାମ
ଅଙ୍କୁର ସାଥିରେ ମଥୁରା ଗମନ
ଛାଡି ସୁବଳ ,ଶ୍ରୀଦାମ।
ଝୁରିଲେ ରାଧିକା ଝୁରିଲେ ଯେ ସଖା
ଝୁରିଲେ ଗୋପ ର ବାଳା
କୃଷ୍ଣ ବିନା ରାଧା ସହି ପାରିଲେନି
ବିରହ ମନର ଜ୍ବାଳା।
ମଥୁରା ନଗରେ ମହା ଆନନ୍ଦରେ
ପ୍ରବେଶିଲେ ଦୁଇଭାଇ
ଧନୁଯାତରାରେ ଯୋଗ ଦେଲେ ଦୁହେଁ
କଂସ ନିମତ୍ରଣ ପାଇ ।
କୃଷ୍ଣଙ୍କୁ ଦେଖିଣ କଂସ ମହାରାଜା
ହୋଇଗଲେ ଭୟଭୀତ
ମଞ୍ଚାରୁ ପଡିଣ ମାମୁଁକଂସ ରାଜା
ହୋଇଗଲେ ଯେ ନିହତ।
ଯୁଗେ ଯୁଗେ ପ୍ରଭୁ ନେଲେ ଅବତାର
ଧର୍ମ ଉଦ୍ଧାରିଣ ପାଇଁ
ଏ ଜନ୍ମାଷ୍ଟମୀ ରେ ଶ୍ରୀକୃଷ୍ଣ ଜନମି
ପାପୀଙ୍କୁ ଦେଲେ ଦୂରେଇ ।
(ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version