ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ଘରୋଇକରଣ ଆମ ସ୍ୱାଭିମାନ ଓ ଅସ୍ମିତା ପ୍ରତି କୁଠାରଘାତ : ବିଜେଡି

 ବିଜୁ ପଟ୍ଟନାୟକ ବିମାନ ବନ୍ଦର ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ

 ବିମାନ ବନ୍ଦରର ଘରୋଇକରଣ ନିଷ୍ପତ୍ତି ଦୁର୍ଭାଗ୍ୟଜନକ

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ବିଜେଡି ମୁଖପାତ୍ର ଦିବ୍ୟ ଶଙ୍କର ମିଶ୍ର ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରକୁ ଘରୋଇକରଣ ଉଦ୍ୟମକୁ କଟୁ ସମାଲୋଚନା କରିଛନ୍ତି । ଆଜି ରାଜ୍ୟସଭାରେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବିମାନ ଚଳାଚଳ ରାଜ୍ୟ ମନ୍ତ୍ରୀ ମୁରଲୀଧର ମୋହଲ ଦେଇଥିବା ଉତ୍ତରରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଭୁବନେଶ୍ୱର ସମେତ ଭାରତର ପଚିଶଟି ବିମାନ ବନ୍ଦରକୁ ୨୦୨୨ରୁ ୨୦୨୫ ଭିତରେ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସ୍ପଷ୍ଟ କରିଥିଲେ ।

ଭୁବନେଶ୍ୱର ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ । ଭୁବନେଶ୍ୱର ବିମାନ ବନ୍ଦର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିବା ବେଳେ ଏହି ବିମାନ ବନ୍ଦର ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ । ଏହା ପୂର୍ବ ଭାରତର ଏକ ପ୍ରମୁଖ ବିମାନ ବନ୍ଦର ହୋଇଥିବା ବେଳେ, ଏହାର ଘରୋଇକରଣ ନିଷ୍ପତ୍ତି ନିଶ୍ଚିତ ଭାବେ ଆମ ସ୍ୱାଭିମାନ ଓ ଅସ୍ମିତା ପ୍ରତି କୁଠାରଘାତ ବୋଲି ଶ୍ରୀ ମିଶ୍ର କହିଥିଲେ । ତାଛଡ଼ା ଘରୋଇକରଣ ହେଲେ ଏଠାରେ ଚାଲୁଥିବା ବିମାନ ଚଳାଚଳ ଓ ଅନ୍ୟାନ୍ୟ ଅର୍ଥନୈତିକ ଗତିବିଧି ପ୍ରଭାବିତ ହେବ । ସେହିପରି ଏହି ବିମାନ ବନ୍ଦରରେ ଚାଲିଥିବା ଆଭିଏସନ ଟ୍ରେନିଂ ସେଣ୍ଟର ମଧ୍ୟ ବନ୍ଦ ହୋଇଯିବାର ଆଶଙ୍କା ରହିଛି । ବିଜୁ ଜନତା ଦଳ ଏହି ଘରୋଇକରଣ ନିଷ୍ପତ୍ତିକୁ ପୂର୍ଣ୍ଣମାତ୍ରାରେ ବିରୋଧ କରୁଛି ଓ କେନ୍ଦ୍ର ସରକାର ତାଙ୍କର ଏହି ନିଷ୍ପତ୍ତିକୁ ପୁନର୍ବିଚାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।  

Exit mobile version