ଜୀବିକାର୍ଜନ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ଡିଏମଏଫ ଜିଲ୍ଲାର ବିକାଶକୁ ପ୍ରାଧାନ୍ୟ
ଜିଲ୍ଲାପାଳମାନଙ୍କୁ ବାର୍ଷିକ ପ୍ରଗତିଶୀଳ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଖଣିଜ ସମୃଦ୍ଧ ଜିଲ୍ଲାଗୁଡିକରେ ରହିଥିବା ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ (ଡିଏମ୍ଏଫ୍)ର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟସ୍ତରୀୟ ତଦାରଖ ଓ ସମୀକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଅନୁଗୁଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ମୟୁରଭଞ୍ଜ, ରାୟଗଡା ଆଦି ୮ ଟି ଡିଏମଏଫ ଜିଲ୍ଲା ରହିଛି । ବୈଠକରେ ବିଭିନ୍ନ ଡିଏମଏଫ୍ ଜିଲ୍ଲକୁ ବର୍ଷୱାରୀ ପାଣ୍ଠି, ବିଭିନ୍ନ ପ୍ରକଳ୍ପ ପାଇଁ ପାଣ୍ଠି ଆବଣ୍ଟନ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ କାର୍ଯ୍ୟକାରିତା ବାବଦରେ ଅର୍ଥ ବିନିଯୋଗ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ।
ଡିଏମଏଫ ଜିଲ୍ଲାର ବିଭିନ୍ନ ଅଂଚଳରେ ରାସ୍ତା, ସେତୁ, ସୗଧ ନିର୍ମାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ରାସ୍ତା ସଂଯୋଗୀକରଣ, ଜୀବିକାନିର୍ବାହ କାର୍ଯ୍ୟକ୍ଷମ, ଜଳସେଚନ, ମହିଳା, ଶିଶୁ, ବୟସ୍କ ଓ ଭିନ୍ନକ୍ଷମଙ୍କ କଲ୍ୟାଣ, ଶକ୍ତି, ପରିବେଶ, ଦକ୍ଷତା ବିକାଶ, ଗୃହ ନିର୍ମାଣ ଆଦି କ୍ଷେତ୍ରରେ ଅର୍ଥ ବିନିଯୋଗ କରାଯାଉଛି । ବିଭିନ୍ନ କ୍ଷେତ୍ରରେ ଅର୍ଥ ବିନିଯୋଗ ଓ କାର୍ଯ୍ୟ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ଡିଏମଏଫ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଏହି ପାଣ୍ଠି ଉପଯୋଗରେ କିପରି କାର୍ଯ୍ୟ କରାଯାଉଛି, ସେ ସଂପର୍କରେ ଉପସ୍ଥାପନ କରିଥିଲେ ।
