ବିପଦରେ ଲିଆଖିଆ ବ୍ରିଜ

୨୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ପୁରୀ କୋଣାର୍କ ରାସ୍ତାରେ ଅସୁରକ୍ଷିତ ଲିଆଖିଆ ବ୍ରିଜ । ପ୍ରତିଦିନ ଶହ ଶହ ପର୍ଯ୍ୟଟକ ପୁରୀ କୋଣାର୍କ ରାସ୍ତାରେ ଯାତାୟାତ କରୁଛନ୍ତି । ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଦର୍ଶନ ପାଇଁ ପ୍ରତିଦିନ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଭିଡ ଜମୁଛି । ପୁରୀ କୋଣାର୍କ ରାସ୍ତାରେ ଶହ ଶହ ବୋଝେଇ ଟ୍ରକ, ବସ ଓ ଭାରି ଯାନ ଯାତାୟାତ କରୁଛି । ଏଭଳି ସ୍ଥିତିରେ ଲିଆଖିଆ ବ୍ରିଜ ଟି ଦୁର୍ବଳ ଅବସ୍ଥାରେ ରହିଛି । ବ୍ରିଜର ଦୁଇପଟେ ଥିବା ସୁରକ୍ଷା ବାଡରେ ଲାଗିଥିବା ଲୁହାଛଡ ଲୁଣି ପାଣିରେ କଳଙ୍କ ଲାଗିଗଲାଣି ।

ଖୁଣ୍ଟ ସହ ପାଚେରି ଦୋହଲୁଛି । ବ୍ରିଜ ଉପର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ବହୁଦିନ ଧରି ମରାମତି ହୋଇନଥିବାରୁ ବ୍ରିଜ ଟି ଦୁର୍ବଳ ଅବସ୍ଥାକୁ ଚାଲିଗଲାଣି । ବ୍ରିଜ ତଳ ନଦୀ ପଠାରୁ ପ୍ରତିଦିନ ଶହ ଶହ ଟ୍ରକ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଯୋଗୁ ବ୍ରିଜର ମୂଳଦୁଆ ବିପଦସଙ୍କୁଳ ଅବସ୍ଥାରେ ରହିଛି ।

ଜାତୀୟ ରାଜପଥ କିମ୍ବା ସେତୁ ନିଗମ ପକ୍ଷରୁ କୌଣସି ମରାମତି କାର୍ଯ୍ଯ କରାଯାଇନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବ୍ରିଜର ତଳ ପାର୍ଶ୍ବରୁ କଂକ୍ରିଟ ଛେଲା ଖସୁଛି । ଭବିଷ୍ୟତରେ ଯଦି ଏହି ବ୍ରିଜର ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୂଆ ବ୍ରିଜ ନିର୍ମାଣ କିମ୍ବା ଏହି ବ୍ରିଜକୁ ମଜଭୁତ ଭାବେ ଉନ୍ନତୀକରଣ କରିବା ପାଇଁ ତୀର୍ଥଯାତ୍ରୀ,ପର୍ଯ୍ୟଟକ ପୁରୀ ଓ କୋଣାର୍କ ଅଞ୍ଚଳବାସୀ ଦାବି କରିଛନ୍ତି ।

Exit mobile version