ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ପାଇଁ ବିଜେପି ସହ ପାଣ୍ଡିଆନ ମନ୍ତ୍ରଣା କରୁଛନ୍ତି : ନବୀନ କହିଲେ ଏ ସବୁ ଡାହା ମିଛ

ଓଡ଼ିଶାରେ ବିଜେଡିକୁ ଭାଙ୍ଗିବା ପାଇଁ ବିଜେପି ସହ ପାଣ୍ଡିଆନ ମନ୍ତ୍ରଣା କରୁଛନ୍ତି ବୋଲି ମିଡିଆରେ ପ୍ରକାଶିତ ଖବରକୁ କାଟିଲେ – ନବୀନ କହିଲେ ଏ ସବୁ ଡାହା ମିଛ

“ମୁଁ ପୂର୍ବରୁ ବି କହିଥିଲି ଭି କେ ପାଣ୍ଡିଆନ ରାଜ୍ୟ ଓ ବିଜେଡି ପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେ ଦଳର ସେବା କରିଛନ୍ତି ।”

୨୨  ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଓଡ଼ିଶାରେ ବିଜେପିର ଭବିଷ୍ୟତକୁ ସୁଗମ କରିବା ପାଇଁ କାମ କରୁଛନ୍ତି ଭି କେ ପାଣ୍ଡିଆନ। ଗତ କିଛି ଦିନ ମଧ୍ୟରେ ସେ ଘନ ଘନ ଦିଲ୍ଲୀ ଗସ୍ତ କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚେଷ୍ଟା କରିଛନ୍ତି ପାଣ୍ଡିଆନ । ଏଥିପାଇଁ ସେ ଓଡ଼ିଶାରୁ ଯାଇଥିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ନବୀନଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତଥା ବିଜେଡିର ନମ୍ବର-ଟୁ ଥିବା ଏହି ପୂର୍ବତନ ଆଇଏଏସ୍ ଅଧିକାରୀ ଓଡ଼ିଶାରେ ବିଜେଡିକୁ ଭାଙ୍ଗି ବିଜେପି ପାଇଁ ପଥ ସୁଗମ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ଏହାର ଜବାବ ଦେଇ ନବୀନ କହିଛନ୍ତି ‘ଏ ସବୁ ଡାହା ମିଛ’ ଜାତୀୟସ୍ତରୀୟ ଇଂରାଜୀ ଦୈନିକ ଖବରକାଗଜ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ରେ ଏହି ରିପୋର୍ଟ ପ୍ରକାଶ ପାଇଛି । ସାହିଦ ଫରିଦି ନାମକ ଜଣେ ସାମ୍ବାଦିକ ଏହି ଖବର ପ୍ରକାଶ କରିଛନ୍ତି ।

ଏଥିରେ ଲେଖାଯାଇଛି ଯେ, “ରାଜ୍ୟସଭାରେ ଏନଡିଏ ସଂଖ୍ୟାଗରିଷ୍ଠତା ହରାଇଥିବାରୁ ମୋଦୀ ସରକାରଙ୍କ ପାଇଁ କୌଣସି ବିଲ୍ ପାସ କରାଇବା କାଠିକର ପାଠ ହୋଇପଡ଼ିବ । ସେହିପରି ଆଗାମୀ ଦିନରେ ଆସୁଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେପିକୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।” ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, “ରାଜ୍ୟସଭାରେ ବିଜେଡିର ୯ ଜଣ ସଦସ୍ୟ ରହିଥିବାବେଳେ ଓଡ଼ିଶା ବିଧାନସଭାରେ ୫୧ ଜଣ ବିଧାୟକ ରହିଛନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗରେ ବିଜେଡିର ସମର୍ଥନ ପାଇଁ ଅମିତ ଶାହ ନବୀନଙ୍କୁ ଫୋନ କରି କଥା ହୋଇଛନ୍ତି ।” ଅମିତ ଶାହ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଏହି କଥାବାର୍ତ୍ତାବେଳେ ବିଜେପି ନିକଟରେ ନବୀନ ଏକ ବଡ଼ ସର୍ତ୍ତ ରଖିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଜେଡିର ସାଙ୍ଗଠନିକ ବ୍ୟାପାରରେ ଗୋଳମାଳ କରିବାକୁ ଯଦି ପାଣ୍ଡିଆନ ଉଦ୍ୟମ କରୁଥାନ୍ତି, ତାଙ୍କୁ କୌଣସି ପ୍ରକାରର ଉତ୍ସାହିତ ଓ ପ୍ରୋତ୍ସାହିତ ନକରିବାକୁ ନବୀନ ବିଜେପି ନିକଟରେ କଥା ଉଠାଇଥିବା ରିପୋର୍ଟରେ କୁହାଯାଇଛି ।

ତେବେ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା, ଅଭିସନ୍ଧିମୂଳକ, ମାନହାନିଜନକ ଏବଂ ଉଦ୍ଦେଶ୍ୟମୂଳକ ବୋଲି ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି। ଏହି ପ୍ରସଙ୍ଗରେ ନବୀନ ପାଣ୍ଡିଆନଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି। ସେ କହିଛନ୍ତି, “ମୁଁ ପୂର୍ବରୁ ବି କହିଥିଲି ଭି କେ ପାଣ୍ଡିଆନ ରାଜ୍ୟ ଓ ବିଜେଡି ପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେ ଦଳର ସେବା କରିଛନ୍ତି ।” ଗତ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଭି କେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିଲା । ସେତେବେଳେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହି ପାଣ୍ଡିଆନଙ୍କ ସପକ୍ଷରେ ମତ ଦେଇଥିଲେ ନବୀନ । କିଛି ଦିନର ନୀରବତା ପରେ ପାଣ୍ଡିଆନଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଏହି ରିପୋର୍ଟ ପ୍ରକାଶ ପାଇଲା ପରେ ରାଜ୍ୟରେ ପାଣ୍ଡିଆନ ସିଣ୍ଡ୍ରୋମ୍ ପୁଣିଥରେ ତାଜା ହୋଇଯାଇଛି। କିନ୍ତୁ ଓଡ଼ିଶା ବିଧାନସଭାରେ ବିଜେଡି ୫୧ଟି ଆସନ ଧରି ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଠିଆ ହୋଇଥିବାବେଳେ ରାଜ୍ୟସଭାରେ ମଧ୍ୟ ମୋଦୀ-ଶାହଙ୍କୁ ନବୀନଙ୍କ ସମର୍ଥନ ଜରୁରୀ ମନେ ହେଉଛି । ତେଣୁ ବିଜେପି ଓ ବିଜେଡି ମଧ୍ୟରେ ସମ୍ପର୍କ ଏମିତି ଛାଇ ଆଲୁଅର ଖେଳ ଭଳି ଲାଗୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

Exit mobile version