ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ର ରଣପୁର ରଥ ଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ ହେବା ସହ ତିନି ଠାକୁର ନିଳାଦ୍ରୀ ବିଜେ କରାଯାଇଛି । ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବଦଳନ ରଥ ମଙ୍ଗଳବାର ଦିନ ସିଂହଦ୍ୱାର ନିକଟରେ ପହଂଚି ଥିଲା ।
ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା । ଗତକାଲି କିଛି ବାଟ ଆସି ଚୈତନ୍ୟ ମଠ ନିକଟରେ ଅଟକି ରହିଥିଲା । ଆଜି ରଣପୁରରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲେ ମଧ୍ୟ ମଧ୍ୟାହ୍ଣ ୨ ଟାରେ ନନ୍ଦିଘୋଷ ରଥକୁ ଅଣାଯାଇ ଦୋଳ ମଣ୍ଡପ ନିକଟରେ ପହଂଚି ଥିଲା । ଏହା ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ ।
ରଥ ଚାରିପଟେ ପରିକ୍ରମା କଲା ପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା । ପରେ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରକୁ ଗମନ କରିଥିଲେ । ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନୀତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବା ସହ ହରିବୋଲ ହୁଳହୁଳିରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଥିଲା । ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ ।
ସେଠାରେ ଆଲତି ସମାପନ ପରେ ନନ୍ଦିଘୋଷ ସିଂହଦ୍ୱାର ନିକଟରେ ଲାଗିଥିଲା । ସନ୍ଧ୍ୟାରେ ତିନି ଠାକୁରଙ୍କର ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା । ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରୀ ବୀଜେ କରାଯାଇଥିଲା । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କଲା ପରେ ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରକୁ ଯାଇଥିଲେ । ଶେଷରେ ଜଗନ୍ନାଥ ପହଣ୍ଡି ହୋଇ ଗଲା ବେଳେ ମହାଲକ୍ଷ୍ମୀ ରାଗ ଜର୍ଜରିତ ହୋଇ କବାଟ କିଳି ଦେଇଥିଲେ ।
ସେଠାରେ ଏହି କବାଟ କିଳା ନୀତି ସମ୍ପନ୍ନ ହୋଇଥିଲା । ମହାଲକ୍ଷ୍ମୀଙ୍କ ପଟରେ କିଛି ସେବାୟତ ଓ ଜଗନ୍ନାଥଙ୍କ ପଟରେ କିଛି ସେବାୟତ ବିଭିନ୍ନ ଶ୍ଳୋକ ଗାନ କରିଥିଲେ । ଶେଷରେ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଏକ ପାଟ ଲୁଗା ଓ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମନ ମୋହିଥିଲେ । ତିନି ଠାକୁର ରତ୍ନ ସିଂହାସନରେ ବୀଜେ ହେବା ପରେ ମାଘ ସ୍ନାନ କରାଯାଇଥିଲା । ପରେ ଅନ୍ୟ ସେବା ପୂଜା ସହ ନୀତିକାନ୍ତି କରାଯାଇଥିଲା ।
