ନୀଳକନ୍ଦର କୁ ବିଜେ କଲେ ନୀଳାଦ୍ରୀନାଥ

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ପରମ୍ପରା ଅନୁଯାୟୀ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣାପରେ ତ୍ରୟୋଦଶୀ ତିଥିରେ ନୀଳାଦ୍ରିବିଜେ ହୋଇଥାଏ । ଏହି ପରମ୍ପରା ଅନେକ ବର୍ଷ ଧରି ହୋଇଆସୁଛି । ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯିବ ।

ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହେବ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରିବେଳ । ତା’ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିବେ ।

ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ଅଣାଯାଉଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡି ହୋଇ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନକୁ ଫେରିଥାନ୍ତି। ନୀଳାଦ୍ରି ବିଜେ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥାଏ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ ।

ତେଣୁ କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ମହାଲଷ୍ମୀ ବାଧା ଦେଇଥାନ୍ତି । ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ରାଗରେ ମାତା ଲକ୍ଷ୍ମୀ ଦ୍ୱାର ବନ୍ଦ କରିଦିଅନ୍ତି । ରାଗରେ ଜର୍ଜରିତ ମହାଲଷ୍ମୀଙ୍କ ମାନଭଞ୍ଜନ ଲାଗି ମହାପ୍ରଭୁ ସାଙ୍ଗରେ ରସଗୋଲା ଆଣିଥାନ୍ତି । ଏହି ରସଗୋଲା ଭୋଗ ହେବା ପରେ ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ପାଇଁ ସିଂହଦ୍ଵାର ଖୋଲିଥାଆନ୍ତି ମହାଲକ୍ଷ୍ମୀ  l

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version