ରଥ ଉପରେ ଅଧରପଣା

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ବାହୁଡାଯାତ୍ରାରେ ତିନିରଥ ସିଂହଦ୍ଵାରକୁ ଫେରିଛନ୍ତି । ବୁଧବାର ଦିନ ରଥ ଉପରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୮ ଲକ୍ଷ ଶ୍ରଦ୍ଧାଳୁ ସୁନାବେଶ ଦର୍ଶନ କରିଥିଲେ ଗୁରୁବାର ଦିନ ସଂଧ୍ଯା ଧୂପ ପରେ ରଥ ଉପରେ ଅଧରପଣା ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଅଧରଚୁମ୍ବୀ ମାଟି ହାଣ୍ଡି ତିନୋଟି ଲେଖାଁଏ ଶ୍ରୀଜୀଉଙ୍କ ସମ୍ମୁଖରେ ରଖାଯାଇଥିଲା ।

ବଡ ପିତଳ କୁଣ୍ଡ ଛାଉଣୀ ମଠ କୁଅରୁ ପାଣି ଆଣି ରଖାଯିବା ପରେ ସେଥିରେ ଖୀର,ସର,ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ମିଶ୍ରଣ ହୋଇ ପଣା ପ୍ରସ୍ତୁତି ହୋଇଥିଲା । ସେହି ପଣା ତିନୋଟି ହାଣ୍ଡିରେ ପୂର୍ଣ୍ଣ କରାଯାଇଥିଲା । ଏହି ନୀତିକୁ ପତ୍ରିବଡୁ, ସୁଆରବଡୁ, ଗରାବଡୁ ଓ ପାଳିଆ ସେବକ ମାନେ ପଣା ପ୍ରସ୍ତୁତି କରିଥିଲେ ।

ରାଘବଦାସ ମଠ, ବଡ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପଣା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଥିଲେ । ପାଳିଆ ପୂଜାପଣ୍ଡା ପଞ୍ଚଉପଚାର ମନ୍ତ୍ରରେ ପୂଜା କରିଥିଲେ । ପୂଜା ପରେ ତିନିରଥରରେ ଅଧରପଣା ହାଣ୍ଡି ଭଙ୍ଗା ଯାଇଥିଲା । ରଥ ଉପରୁ ପଣା ବୋହି ଯିବା ପରେ ରଥ ଚାରି ପାର୍ଶ୍ବରେ ଥିବା ପାର୍ଶ୍ବ ଦେବାଦେବୀ ଚଣ୍ଡୀ ଚାମୁଣ୍ଡା ଓ ଅଶରୀରୀର ମାନେ ପଣା ପାଇ ପ୍ରୀତ ହୋଇଥିଲେ ।

ଏହି ଅଧରପଣା ନୀତି ଓ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରାୟ ୪ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ସିଂହଦ୍ଵାର ଠାରେ ଏକତ୍ରୀତ ହୋଇଥିଲେ । ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ଵାର ସମେତ ବଡଦାଣ୍ଡ ।

(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Exit mobile version