ପ୍ରହସନରେ ପରିଣତ ବନ ମହୋତ୍ସବ କାର୍ଯ୍ୟକ୍ରମ : ଏପଟେ ଚାରା ରୋପଣ ସେପଟେ ସଂରକ୍ଷିତ ଜଙ୍ଗଲ ମାଫିଆଙ୍କ କବଜାରେ

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେତନଟୀ :->  ପରିବେଶ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି। ନୂତନ ଜଙ୍ଗଲ ସୃଷ୍ଟି କରିବା, ଧ୍ୱଂସ ତଥା ଅବହେଳିତ ଜଙ୍ଗଲକୁ ରକ୍ଷାକରିବା, ଖାଲି ପଡିଥିବା ଜଙ୍ଗଲ ଜମିରେ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରାଯିବାପାଇଁ ଲୋକ ଦେଖାଣିଆ ଚାଲିଛି ବନ ମହୋତ୍ସବ କାର୍ଯ୍ୟକ୍ରମ। ଅନ୍ୟ ପକ୍ଷରେ କିଛି ମାଫିଆଙ୍କ ଦ୍ୱାରା ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେଇ ସେଥିରେ ଅଟ୍ଟାଳିକା , ପାର୍କ, ବ୍ୟବସାୟ ପେଣ୍ଠ ଆଦି ତିଆରି କରିବା ଦ୍ୱାରା ଏ ବାବଦରେ ସମସ୍ତ ଉଦ୍ୟମ କେବଳ ଚାକିରୀ ବଞ୍ଚାଇବାପାଇଁ ଭଳି ଅଭିଯୋଗ ଆସୁଛି। ଏଭଳି କିଛି ଘଟଣା ବୈଶିଙ୍ଗା ବନାଞ୍ଚଳ ଅଧିନରେ ଥିବା ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଘଟିଥିବା ନେଇ ସେହି ଗ୍ରାମର ଶତାଧିକ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୟୂରଭଞ୍ଜ ଜିଲ୍ଲା ବନଖଣ୍ଡ ଅଧିକାରୀ, ବେତନଟୀ ରେଞ୍ଜ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଏହି ମୌଜାରେ ଜନୈକ ବ୍ୟକ୍ତି ପ୍ରାୟ ଏକ ଏକର ରୁ ଅଧିକ ଜମି ବେଆଇନ ଭାବେ ଦଖଲ କରିବା ସହିତ ଉକ୍ତ ଜମିରେ ସ୍ଥାୟୀ ନିର୍ମାଣ ସାଙ୍ଗକୁ ପାର୍କ ତିଆରି କରି ପାର୍ଶ୍ଵରେ ଥିବା ” ଲାଲ୍ ମିର୍ଚ ” ନାମକ ଏକ ନାମୀଦାମୀ ହୋଟେଲ କୁ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛୁନ୍ତି। ତେବେ ଏହି ହୋଟେଲ ପରିବେଶ ବିଭାଗ ଠାରୁ ଅନୁମତି ପତ୍ର ପାଇଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। ଏହାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନର ନିରବତା ସନ୍ଦେହ ଘେରରେ।

ସେହିପରି ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ ବୈଶିଙ୍ଗା ଗ୍ରାମ୍ୟ ଜଙ୍ଗଲରେ ମଧ୍ୟ ଜବରଦଖଲକାରୀ ମାନେ ଗଛ କାଟିନେଇ ଜନବସତି ସୃଷ୍ଟି କରିଛନ୍ତି। ଅନ୍ୟ ପକ୍ଷରେ ବୈଶିଙ୍ଗା ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ତିନି ଶହ ମିଟର ଦୂରରେ ବହୁ ପୁରାତନ ଗଛ କାଟିନେଇ ରାସ୍ତା ତିଆରି କରି ଚାଷଜମିକୁ ପ୍ଲଟିଙ୍ଗ୍ କରି ଗୃହ ନିର୍ମାଣ ପାଇଁ ଉଚ୍ଚ ଦରରେ ବିକ୍ରୀ କରୁଥିବାରୁ ଅନେକ ସମାଜସେବୀ ଏହାକୁ ବିରୋଧ କରି ଜଙ୍ଗଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଶିଙ୍ଗା ବନଖଣ୍ଡ କାର୍ଯ୍ୟାଳୟରେ ବର୍ଷେ ହେବ ବନଖଣ୍ଡ ଅଧିକାରୀ ପଦବୀ ଖାଲିପଡ଼ିଛି। ଏହି ପଦବୀ ପୂରଣ ନହେବା ପଛରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ଜମି ମାଫିଆମାନଙ୍କ ସଲାସୁତୂରା ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଅଭିଯୋଗ ପାଇବାପରେ ବେତନଟୀ ରେଞ୍ଜ ଅଧିକାରୀ ମନୱର ଖାଁ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସେ ଫୋନ୍ ଉଠାଇ ନଥିଲେ। ମାତ୍ର ଡି ଏଫ୍ ଓ ଶ୍ରୀ ଏ ଉମା ମହେଶ୍ ଙ୍କୁ ପଚାରିବାରୁ କହିଲେ ସେ ଅଭିଯୋଗ ପାଇଛନ୍ତି ଏବଂ ଏସିଏଫଓ ଙ୍କୁ ତଦନ୍ତ କରି ରିପୋର୍ଟ ଦେବାପାଇଁ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Exit mobile version