ଜରିପାଲ ତଳେ ବିତୁଛି କମଳାଙ୍କ ଜୀବନ

ବ୍ଲକ ପ୍ରଶାସନ ଓ ସାଗରଗାଁ ସରପଞ୍ଚ ନୀରବ ଦ୍ରଷ୍ଟା  

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଓଡ଼ିଶା ରାଜ୍ୟ ଗ୍ରାମାଞ୍ଚଳର ଲୋକମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ ଓ ବାସଗୃହ ନିର୍ମାଣର ବିକାଶ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମାଧ୍ୟମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ଯ ତାହା ବାଟମାରଣ ଯୋଗୁ ବୋଲଗଡ ବ୍ଲକ ଅଞ୍ଚଳରେ ବିଫଳ ଘଟିଅଛି । ବୋଲଗଡ ବ୍ଲକ ଏକ ଅନୁନ୍ନତ ଅଞ୍ଚଳ ଅଟେ । ବୋଲଗଡ ବ୍ଲକର ୧୯ଟି ଗ୍ରାମପଞ୍ଚାୟତର ବହୁ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଅଛନ୍ତି । ବୋଲଗଡ ବ୍ଲକ ପ୍ରଶାସନ ତେଲିଆ ମୁଣ୍ଡରେ ତେଲ ମାରି ସରପଞ୍ଚ ମାନଙ୍କର ସଖିକଣ୍ଢେଇ ସାଜି ଧନୀ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ପ୍ରଦାନ କରୁଥିବା ବେଳେ ଅନ୍ଧାର ରାତ୍ରିର ଚନ୍ଦ୍ର ଦେଖୁଥିବା ଗରୀବ ଲୋକଟି ନିରାଶ ମନରେ ମୁଣ୍ଡରେ ହାତ ଦେଇ ଭୋକ ଉପବାସରେ ଦିନ କାଟୁଛି । ଏହାର ଏକ ସଦ୍ୟତମ ଉଦାହରଣ ସାଗରଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡିଆଳି ଗ୍ରାମରେ ଦେଖା ଦେଇଛି ।

ଗୋଡିଆଳି ଗ୍ରାମର ଖଟିଖିଆ ଦିନ ମଜୁରିଆ ବାଳକୃଷ୍ଣ ନାୟକ ଆଜକୁ କୋଡିଏ ବର୍ଷ ତଳେ ମୃତ୍ୟୁବରଣ କରିଅଛନ୍ତି। ଭୂମିହୀନ ବାସହରା ଗରିବ ବିଧବା ମହିଳା ମାଳତୀ ନାୟକ ସ୍ବାମୀ ମୃତ୍ୟୁବରଣ କଲାପରେ ଦୀର୍ଘ ୨୦ବର୍ଷ ଧରି ପର ଦୁଆରେ ମୂଲଲାଗି ପରିବାରର ଗୁଜୁରାଣ ମେଣ୍ଟାଉ ଅଛନ୍ତି । ପରଲୋକ ଙ୍କ ଠାରୁ ଧାର ଉଦ୍ଧାର ଓ କରଜ ଟଙ୍କା ଆଣି ଗୋଟିଏ ଝିଅକୁ ବିବାହ ଦେଇ ଅଛନ୍ତି । ପରିବାରର ଆର୍ଥିକ ଅଭାବ ଯୋଗୁ ୨୨ ବର୍ଷର ଭେଣ୍ଡା ପୁଅ ପାଠପଢାରେ ଡୋରି ବାନ୍ଧି ଯାଜନ ଖଟୁଛି । ଆର୍ଥିକ ଅଭାବରୁ ଭଙ୍ଗା ଚାଳଛପର ଘରଟି ବିଧବା ମାଳତୀ ନାୟକ ଜୀବନ ସୁରକ୍ଷା ପାଇଁ ଘର ମରାମତି କରି ନପାରି ବହୁ ବର୍ଷ ଧରି ଜରିପାଲ ତଳେ ଜୀବନ ବିତାଉଛି । ବର୍ଷାଦିନେ ବର୍ଷା ଜଳ ଘର ଭିତରକୁ ପ୍ରବେଶ କରୁ ଥିବାରୁ ମାଟି କାନ୍ଥ ଭାଙ୍ଗିଯାଇଛି ଓ ଘର ଭିତରେ ସାପ , ବେଙ୍ଗ, କଙ୍କଡା ବିଛା , ତେଲୁଣି ପୋକ ତଥା ଅନେକ ସରୀସୃପ ଘର ଭିତରେ ବାସ କରୁଅଛନ୍ତି ।

ଫଳରେ ମାଳତୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବିଧବା ମହିଳା ମାଳତୀ ସାଗରଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଜିଲ୍ଲାପରିଷଦର ସଭ୍ଯ ସୁବାଷ ଚନ୍ଦ୍ର ରାୟଗୁର ଓ ବର୍ତ୍ତମାନ ସରପଞ୍ଚ ରମାମଣି ଦେଇ ଏବଂ ବୋଲଗଡ ବ୍ଲକର ବିଡିଓଙ୍କୁ ପ୍ରତିବର୍ଷ ଲିଖିତ ଦରଖାସ୍ତ ଦେଉଥିଲେ ମଧ୍ଯ ସେମାନେ ନୀରବ ଦ୍ରଷ୍ଟା ସାଜିଛନ୍ତ । ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବିଧବା ମହିଳା ମାଳତୀଙ୍କ ପାଇଁ ସାତ ସପନ ହୋଇଅଛି । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପ୍ରତି ଦୃଷ୍ଟିଦେଇ ବିଧବା ମହିଳା ମାଳତୀଙ୍କୁ ନୂତନ ଘର ନିର୍ମାଣ ପାଇଁ ସରକାରୀ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ଗୋଡିଆଳି ଗ୍ରାମବାସୀମାନେ ଅନୁରୋଧ କରିଅଛନ୍ତି ।

Exit mobile version