ରଣପୁର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ରରେ : ମହିଳା ଭକ୍ତ ଙ୍କ ଦ୍ୱାରା ଶ୍ରୀମନ୍ଦିର ନିକଟରେ ପହଂଚିଲା ଦେବଦଳନ

ମହିଳା ଭକ୍ତ ଙ୍କ ଦ୍ୱାରା ଶ୍ରୀମନ୍ଦିର ନିକଟରେ ପହଂଚିଲା ଦେବଦଳନ : ନନ୍ଦିଘୋଷ ସମ୍ମୁଖରେ ଟାଉନ କ୍ଲବ୍ ଦ୍ୱାରା ଭଜନ ସମାରୋହ ପରିବେଷିତ

୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ର  ଭାବେ ପରିଚିତ ହୋଇ ଆସୁଥିବା ରଣପୁର ରଥଯାତ୍ରା ରେ ମଙ୍ଗଳବାର ଅପରାହ୍ନରେ ମହିଳା ଭକ୍ତ ମାନଙ୍କ ଦ୍ୱାରା ମା ସୁଭଦ୍ରା ଙ୍କ ଦେବଦଳନ ରଥ ଟଣାଯାଇ ସିଂହଦ୍ୱାର ନିକଟରେ ପହଂଚିଥିଲା । ଗତ ସୋମବାର ଦିନ ବାହୁଡା ଯାତ୍ରା ଅବସରରେ ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଭକ୍ତ ମାନଙ୍କ ଦ୍ୱାରା ଟଣାଯାଇ ପ୍ରଥମେ ସିଂହଦ୍ୱାର ନିକଟରେ ପହଂଚିଥିଲା ।

ହେଲେ ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଭଜନ ଶୁଣିବା ଲାଗି ଅଟକି ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଟାଉନ କ୍ଲବ୍‌ ଆନୁକୁଲ୍ୟରେ ଓଡିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ୩୮ ତମ ଭଜନ ସମାରୋହ କାଳିଆ ସାଆନ୍ତ ଙ୍କ ରଥ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।

ଦିନ ତମାମ ଶ୍ରୀଜୀଉ ମାନଙ୍କୁ ରଥ ଉପରେ ଦର୍ଶନ ପାଇଁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ସଂଧ୍ୟାରେ ଆୟୋଜିତ ଭଜନ ସମାରୋହରେ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ପାଗ ଅନୁକୁଳ ଥିବା ହେତୁ ମୀନା ବଜାର ପରିସର ମଧ୍ୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଆସନ୍ତା ଗୁରୁବାର ବଡ ଏକାଦଶୀ ଅବସରରେ ଶ୍ରୀ ଜୀଉ ମାନଙ୍କ ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ ।

Exit mobile version