ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ 

ବସିଛି ରତ୍ନଭଣ୍ଡାର ତଦାରଖ କମିଟି ବୈଠକ

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବସିଛି ରତ୍ନଭଣ୍ଡାର ତଦାରଖ କମିଟି ବୈଠକ, ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଜି ଦିନ ଗୋଟାଏ ପରେ ଶୁଭ ସମୟ ଅଛି । ତେଣୁ ୧ଟାରୁ ୧.୩୦ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବ । ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ବସିଛି । ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ରତ୍ନଭଣ୍ଡାର ଖୋଲିବାବେଳେ ସାମୟିକ କଟକଣା ରହିବ, ସିଂହଦ୍ଵାର ଛାଡି ବାକି ଦ୍ଵାର ବନ୍ଦ ରହିବ ।

ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡାଯିବ । କମିଟିର ସଦସ୍ୟ ଯିବାବେଳେ ବି ଯାଞ୍ଚ କରାଯିବ । ବେହରଣ ଦ୍ଵାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ । ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥ ମନ୍ଦିରରୁ ଆଜ୍ଞାମାଳ ଆସି ପହଞ୍ଚିଛି। ଡୁପ୍ଲିକେଟ୍ ଚାବିରେ ଯଦି ଭିତର ରତ୍ନଭଣ୍ଡାର ତାଲା ନଖୋଲେ ତେବେ ଭାଙ୍ଗି ଦିଆଯିବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବ ।

ଆବଶ୍ୟକ ମରାମତି ପାଇଁ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ନିକଟସ୍ଥ ଅନ୍ୟ ଏକ କୋଠରିକୁ ସ୍ଥାନାନ୍ତର କରାଯିବ । ଭିତର ରତ୍ନଭଣ୍ଡାରରେ ଆଲୋକ ବ୍ୟବସ୍ଥା କରାଯିବ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୂଲ୍ୟବାନ ଅଳଙ୍କାରଗୁଡ଼ିକ ଗଣତି ମଣତି କରାଯିବ । ୧୯୭୮ର ଗଣତି ରିପୋର୍ଟକୁ ଭିତ୍ତିକରି ରତ୍ନ ଅଳଙ୍କାରଗୁଡ଼ିକୁ ମେଳକ କରାଯିବ । ରତ୍ନ ଅଳଙ୍କାରଗୁଡ଼ିକର ମାନ ପରୀକ୍ଷା ପାଇଁ ଧାତୁ ବିଶେଷଜ୍ଞ ଏବଂ ଅଭିଜ୍ଞ ବଣିଆଙ୍କୁ ନିୟୋଜିତ କରାଯାଇଛି ।

Exit mobile version