ନାକଚଣା ଦ୍ବାର ସମ୍ମୁଖରେ ଲାଗିଲା ତିନିରଥ

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନ ଯୋଗେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରି ସଂଧ୍ଯା ଦର୍ଶନ ସମୟରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବାହୁଡି ଆସିବା ପାଇଁ ଅନୁରୋଧ କରିଥିଲେ । ଅଭିମାନ କରି ନନ୍ଦିଘୋଷ ରଥର ଗୋଟିଏ ପାର୍ଶ୍ଵର କାଠ ଖଣ୍ଡିଏ ଭାଙ୍ଗି ଶ୍ରୀମନ୍ଦିର ଫେରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ରଥକୁ ଆଜ୍ଞାମାଳ ଆସି ତିନିରଥରେ ଲାଗି କରାଯାଇଥିଲା ।

ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ବାର ସମ୍ମୁଖକୁ ଅଣାଯାଇଥିଲା । ପରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ବାର ସମ୍ମୁଖରେ ଲଗାଯାଇଥିଲା । ଶନିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ବାର ସମ୍ମୁଖରେ ଲଗାଯାଇଛି । ଏବେ ତିନିରଥ ନାକଚଣା ଦ୍ବାର ସମ୍ମୁଖରେ ବାହୁଡାଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛି ।

ଆସନ୍ତାକାଲି ରବିବାର ପବିତ୍ର ମହାନବମୀରେ ସଂଧ୍ଯା ଦର୍ଶନ ଅନୁଷ୍ଠିତ ହେବ । ସୋମବାର ୧୫ ତାରିଖ ଦିନ ପବିତ୍ର ବାହୁଡାଯାତ୍ରା । ମହାପ୍ରଭୁ ବଡଦାଣ୍ଡରେ ବାହୁଡାଯାତ୍ରା କରିବା ସହ ଶ୍ରୀମନ୍ଦିର ସିଂହଦ୍ଵାରରେ ତିନିରଥ ଲାଗିବ । ଶ୍ରୀଗୁଣ୍ଡିଚା ଦିନ ୪୨ଚକ ବଡଦାଣ୍ଡରେ ଗଡିଥିବା ବେଳେ ବାହୁଡାରେ ୪୨ଚକ ଶ୍ରୀମନ୍ଦିରକୁ ଗଡିବ । ଏହି ୮୪ ଚକର ରଥଯାତ୍ରା ଚର୍ମ ଚକ୍ଷୁରେ ଭକ୍ତ ଦର୍ଶନ କଲେ ୮୪ ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି ।

Exit mobile version