୧. ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଏପରି ଦାଦାଗିରିକୁ ସେ ନିନ୍ଦା କରିବା ସହିତ ସରକାର ଉଚିତ ପଦକ୍ଷେପ ନେଇ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।
୨. ସେହିପରି ଶତାଧିକ କଂଗ୍ରେସ କର୍ମକର୍ତ୍ତା ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରି ଘଟଣାର ପ୍ରତିବାଦ କରିଛନ୍ତି ।
୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୁରୀରେ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ ସହଯୋଗୀ– ଆକ୍ରମଣ କରିଥିଲେ । ଏହି ଘଟଣା ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ଏବଂ କଂଗ୍ରେସ । ବିଜେଡି ପକ୍ଷରୁ ବରିଷ୍ଠ ନେତା ପ୍ରତାପ ଦେବ ଶନିବାର ଏକ ଖବରଦାତା ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହିତ ଏ ନେଇ ଅଭିଯୋଗ ହୋଇଥିଲେ ବି ସରକାର ନୀରବ ରହିବା ସନ୍ଦେହଜନକ ବୋଲି କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗ ବିରୋଧରେ ରାସ୍ତାକୁ ଓହ୍ଲାଇଛି । ପୀଡ଼ିତଙ୍କୁ ନ୍ୟାୟ ଦେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବିରେ ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖବରଦାତା ସମ୍ମିଳନୀରେ ପ୍ରତାପ ଦେବ କହିଛନ୍ତି, ଗତ ୭ ତାରିଖ ରାତିରୁ ଏହି ଘଟଣା ଘଟିଲାଣି । ପୀଡ଼ିତ ଅଧିକାରୀ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । କିନ୍ତୁ ଏଯାଏ କାର୍ୟ୍ୟାନୁଷ୍ଠାନ ନିଆଯାଇ ନାହିଁ ।
ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଏପରି ଦାଦାଗିରିକୁ ସେ ନିନ୍ଦା କରିବା ସହିତ ସରକାର ଉଚିତ ପଦକ୍ଷେପ ନେଇ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ବୋଲି ପ୍ରତାପ କହିଛନ୍ତି । ସେହିପରି ଶତାଧିକ କଂଗ୍ରେସ କର୍ମକର୍ତ୍ତା ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରି ଘଟଣାର ପ୍ରତିବାଦ କରିଛନ୍ତି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଦାବି କରିଛି ।
