ଲୋକସେବା ଭବନସ୍ଥ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ : ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କଲେ ମନ୍ତ୍ରୀ

୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଷ୍ଟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଲୋକସେବା ଭବନସ୍ଥ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ଅବସରରେ ଉଭୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନାପୂର୍ବକ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ରେ ଦସ୍ତଖତ କରି ମନ୍ତ୍ରଣାଳୟ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ମନ୍ତ୍ରୀମଣ୍ଡଳ ଗଠିତ ହେବା ପରେ ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କୃଷି ଭବନରେ ଚାଲୁଥିଲା । ଏଣିକି ବିଭାଗର ସମସ୍ତ କାର୍ଯ୍ୟ ଲୋକସେବା ଭବନ କାର୍ଯ୍ୟାଳୟରୁ ପରିଚାଳିତ ହେବ । ଉଭୟ ବିଭାଗର ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଅଭିବାଦନ ଜଣାଇଥିଲେ ।

ମାନ୍ୟବର ମନ୍ତ୍ରୀ ଉଭୟ ବିଭାଗର ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଭାଗକୁ ଲୋକାଭିମୁଖୀ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

Exit mobile version