ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରା ଆୟୋଜନ

୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରୋଡ଼ସ ଆଇଲ୍ୟାଣ୍ଡ :->  ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ କ୍ଷୁଦ୍ର ରାଜ୍ୟ ରୋଡ଼ସ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ଭବ୍ୟ ଢଙ୍ଗରେ ସଜ୍ଜା ଯାଇଥିଲା । ଏଠାରେ ସକାଳେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ମଙ୍ଗଳ ଆରତୀ, ହୋମ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ତଥା ନୀତିକାନ୍ତି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା । ରୋଡ଼ସ ଆଇଲ୍ୟାଣ୍ଡରେ ସପ୍ତମ ଥର ପାଇଁ ଅନୁଷ୍ଠିତ ହୋଉଥିବା ରଥଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ଭକ୍ତଗଣଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅସୀମ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା ।

ଚଳିତବର୍ଷ ଘୋଷ ଯାତ୍ରାରେ ରୋଡ଼ସ ଆଇଲ୍ୟାଣ୍ଡ ର ଶ୍ରଦ୍ଧାଳୁମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିୟୁଜର୍ସି, କନେକ୍ଟିକଟ ଓ ମାସାଚ୍ୟୁଟସ ଆଦି ସ୍ଥାନରୁ ବହୁ ସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ, ସେମାନଙ୍କର ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କ ସହିତ ଆସି ଯୋଗ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା। ଦିନ ସାଢେ଼ ୧୧ ଟାରେ ଭଜନ କୀର୍ତ୍ତନର ଗହଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ତଥା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘୋର ଘର୍ଗର ସ୍ୱର ଦ୍ୱାରା ଗଗନ ପବନ ପ୍ରକମ୍ପିତ ହେବା ମଧ୍ୟରେ ଚାରି ଠାକୁରଙ୍କର ଧାଡି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ଓ ସଂଗଠକମାନେ ରୋଷଣୀ କରି ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁନ୍ଦର ସୁରମ୍ୟ, ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ୧୫ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ସିଂହାସନ ଆସୀନ କରାଇଥିଲେ। ଏଠାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ନଚେଇ ନଚେଇ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଶ୍ରୀଜିଉମାନଙ୍କୁ ଓ ସେମାନଙ୍କ ରଥକୁ ପଦ୍ମିନୀ ପଣ୍ଡା ଓ ଜ୍ୟୋତିର୍ମୟୀ ରାଉତରାୟ ଖୁବ ସୁନ୍ଦର ଭାବରେ ଫୁଲ ମାଳ ସହିତ ସଜ୍ଜାଇ ଥିଲେ।

ବିଶିଷ୍ଟ ସମାଜ ସେବୀ ବିଭୂତି ଭୂଷଣ ରାଉତରାୟ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଅପରାହ୍ନ ୧ଟା ବେଳେ ରଥଟଣା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରଥଟିକୁ ସିଦ୍ଧିବିନାୟକ ମନ୍ଦିରର ଚତୁଃପାର୍ଶ୍ଵରେ ଦେଢ଼ କିଲୋମିଟର ଦୂର ପର୍ଯ୍ୟନ୍ତ ଟଣା ଯାଇ ପୁଣି ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ୱାରୱିକର ରାଜରାସ୍ତାରେ ରାଜକୀୟଠାଣିରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ଅପରୂପ ଓ ଅନୁପମ ରଥଟି ଗଡ଼ି ଗଡ଼ି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅବିସ୍ମରଣୀୟ ଥିଲା। ମନ୍ଦିରକୁ ଫେରିବା ପରେ ଦିଅଁ ମାନଙ୍କୁ ପୁରୀର ଆନନ୍ଦ ବଜାର ଶୈଳୀରେ ପ୍ରସ୍ତୁତ ସ୍ୱାଦିଷ୍ଟ ମହାପ୍ରସାଦ ଭୋଗ ଲଗାଯାଇଥିଲା। ଏହି ଭୋଗକୁ ଆଗନ୍ତୁକ ମାନଙ୍କ ମଧ୍ୟରେ ପରେ ପରେ ବିତରଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ସୋର୍ଯ୍ୟ ମିଶ୍ର, ପ୍ରଜ୍ଞାନ ବେହେରା, ସୁନୀଲ କୁମାର ଦୁଦା ଓ ପ୍ରୀତି ପ୍ରିୟଦର୍ଶିନୀଙ୍କ ଦ୍ୱାରା ସୁମଧୁର ଭଜନ ଗାୟନ, ହେଜେଲ୍ ସନି ସୋନାଲି ଜାଭେରିଙ୍କ ଦ୍ୱାରା ପରିବେଷିତ ମନୋରଞ୍ଜକ ଅର୍ଦ୍ଧଶାସ୍ତ୍ରୀୟ ନୃତ୍ୟ ଏବଂ ରଥ ସମ୍ମୁଖରେ ଆକାଂକ୍ଷା ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ମନଲୋଭା ଓଡ଼ିଶୀ ନୃତ୍ୟ ପରିବେଷଣ ସାମିଲ ଥିଲା ।

ପଙ୍କଜ ପଣ୍ଡା ଓ ଅର୍ଚ୍ଚନା ଯାଦବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଉପସ୍ଥାପନା ଓ ସଂଯୋଜନା କରିଥିଲେ। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତିଙ୍କର ସାମଗ୍ରିକ ତତ୍ତ୍ଵାବଧାନରେ ଆୟୋଜିତ ରଥଯାତ୍ରା ଉତ୍ସବକୁ ବିପୁଳ ଭାବେ ସଫଳ କରାଇବାରେ ସୁଦକ୍ଷ ସଂଗଠକ ବବିତା ମହାନ୍ତି, ମୁନମୁନ୍ ଦାସ, ମଣି ମହାପାତ୍ର, ଶୁଭ୍ରାଂଶୁ ମହାନ୍ତି, ସିମ୍ମୀ ମହାପାତ୍ର, ସରୋଜ ବେହେରା, ସୌରଭ ମିଶ୍ର, ସୋମ୍ୟଶ୍ରୀ ଦାଶ, ବିଶ୍ୱ ପଟ୍ଟନାୟକ, ଚନ୍ଦ୍ରଶେଖର ମହାନ୍ତି, ସନ୍ତୋଷ ବେହେରା, ଲୀନା ପଟ୍ଟନାୟକ, ସୁକାନ୍ତ ପାତ୍ର, କଳ୍ପନା ମହାନ୍ତି, କରୁଣା ମେହେଟ୍ଟା, ଦେବାଶିଷ ପଣ୍ଡା, ସିଦ୍ଧାନ୍ତ ବହିଧାର, ଅସ୍ମିତା ପଟ୍ଟନାୟକ, ନନୀ ବାବୁ, ଅନୁପ ମହାନ୍ତି, ଅଜିତ ନାୟକ, ସ୍ମିତା ପଟ୍ଟନାୟକ, ସୋଭଦୀପ ଦାସ, ରୋହନ ମହାନ୍ତି, କାର୍ତ୍ତିକ ମହାନ୍ତି, ଶ୍ରଦ୍ଧା ନାୟକ ଏବଂ ରୋନକ ମହାନ୍ତି ପ୍ରମୁଖଙ୍କର ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା ।

Exit mobile version