Home ଓଡ଼ିଶା ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ରଥଯାତ୍ରା ଆୟୋଜନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କାନବେରା :-> ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ବାତାବରଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି।ଏହି ମହୋତ୍ସବ ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସଂସ୍କୃତିକ କେନ୍ଦ୍ରକୁ ଖୁବ ସୁନ୍ଦର ଢଙ୍ଗରେ ସଜ୍ଜାଯାଇଥିବା ଦେଖା ଯାଇଥିଲା। ବଢ଼ି ଭୋରରୁ ଏଠାରେ ଚାରି ଦିଅଁଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆର ରଥଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ମଙ୍ଗଳ ଆରତୀ ଏବଂ ସଂକଳ୍ପ ପୂଜା ତିନି ପୂଜକ ଯଥା ଆଚାର୍ଯ୍ୟ ପ୍ରକାଶ ପାଣ୍ଡେ, ପଣ୍ଡିତ ପ୍ରଦୀପ ଭଟ୍ଟ ଏବଂ ପଣ୍ଡିତ ଅନୁପ ଜାନୀଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା।ଏଠାରେ ଭକ୍ତ ଓ ଭଗବାନଙ୍କର ମହାମିଳନର ଏହି ମହାନ ପାର୍ବଣରେ ଉପସ୍ଥିତ ପ୍ରାୟ ୨୦୦୦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଚଳିତ ବର୍ଷର ଘୋଷ ଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡ଼ିନୀ, ମେଲବର୍ଣ୍ଣ, ବ୍ରିଶବ୍ରେନ, ରୁରାଲ ନିଉ ସାଉଥ ୱେଲ ଏବଂ ଅଷ୍ଟ୍ରେଲିଆର ଅନ୍ୟାନ୍ୟ ଇଲାକାରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ମାନେ, ସେମାନଙ୍କର ପରିବାର ବର୍ଗ ଓ ପରିଜନ ସହିତ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା। ସକାଳ ୧୦ଟା ସମୟରେ ଦିଅଁମାନଙ୍କର ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର,ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରାଯାଇ ଚାରି ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ ଉପରକୁ ନିଆ ଯାଇଥିଲା।ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ସହ ଭଜନ, କୀର୍ତ୍ତନର ମୄଦ୍ୟୁମନ୍ଦ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା।ଏଠାରେ ମହିଳାମାନେ ହାତରେ ନଚାଇ ନଚାଇ ଦେବୀ ସୁଭଦ୍ରାଙ୍କୁ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା।ହିନ୍ଦୁ ସମ୍ପ୍ରଦାୟର ବରିଷ୍ଠ ନେତା କାନ୍ତି ଜିନ୍ନା, ପ୍ରକାଶ ମେହେଟ୍ଟା ଓ ବାସୁ ବାଙ୍କା ପାରମ୍ପାରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଏହାପରେ ଦିନ ୧୧ଟାରେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଫ୍ଲୋରେର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତ ମାନଙ୍କ ଗହଣରେ ଗଡି ଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୩ କିଲୋମିଟର ପର୍ଯ୍ୟନ୍ତ ଭକ୍ତମାନେ ଟାଣି ନେଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଆଣିଥିଲେ।ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରୀଟୋରି (ଏ ସି ଟି) କାନବେରାରର ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ବହୁବିଧ ସାଂସ୍କୃତିକ ମନ୍ତ୍ରୀ ମାଇକେଲ ପେଟରସନ, ଚାନ୍ସେରୀର ମୁଖ୍ୟ ଯୋଗେନ୍ଦ୍ର ସିଂହ, ଏସିଟି ବିଧାନସଭାରେ ବିରୋଧୀ ଦଳର ନେତା ଏଲିଯାବେଥ ଲୀ, ଏସିଟି ବିଧାନସଭାର ସଦସ୍ୟବୃନ୍ଦ ଜୋ କ୍ଲେ, ଆଣ୍ଡ୍ରିୟୁ ବ୍ରାଡୋକ ଏବଂ କାନବେରା ସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲୀନ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ସୁମଧୁର ଭଜନ ଗାୟନ, ଦେଵଶ୍ରୀ ଦାସ ଙ୍କର ନେତୃତ୍ବରେ ନୃତ୍ୟଶ୍ରୀ ନୃତ୍ୟ ଏକାଡେମୀର କଳାକାର ଏବଂ ଅରୁଣ ନାୟକ ଓ ଗ୍ରୁପଙ୍କ ଦ୍ଵାରା ପରିବେଷିତ ହୃଦୟ ସ୍ପର୍ଶୀ ଓଡିଶୀ ନୃତ୍ୟ ସାମିଲ ଥିଲା। ମହାପ୍ରଭୁଙ୍କର ଆଶୀର୍ବାଦ କ୍ରମେ ସମଗ୍ର ଘୋଷ ଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବାରେ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ଲାଖନ ଶର୍ମା , ଉପସଭାପତି ତରୁଣ ଅଗସ୍ତି, ପବ୍ଲିକ ଅଫିସର ସନ୍ତୋଷ ଗୁପ୍ତା, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ମନୋଜ ନାୟକ, ପୂର୍ଵତନ ସଭାପତି ଡ଼ଃ ନଳିନୀ ପତି ଏବଂ ସୁଜୀତ ଜେନା , ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦର ଏସିଟି ଅଧ୍ୟାୟର ସଭାପତି ଶାନ୍ତି ରେଡ୍ଡୀ ଏବଂ ଅଷ୍ଟ୍ରେଲିଆ ହିନ୍ଦୁ ପରିଷଦ ର ପୂର୍ବତନ ସଭାପତି ପ୍ରକାଶ ମେହେଟ୍ଟା ଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା । ଚଳିତ ବର୍ଷର ରଥଯାତ୍ରା ମହୋତ୍ସବକୁ ବିପୁଳଭାବେ ସଫଳ କରାଇବାରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିଗଣ, ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ପ୍ରମୁଖ ସମ୍ପ୍ରଦାୟ ସଙ୍ଗଠନ ଯଥା କସମଗ ଓର, ଇଣ୍ଟେଗ୍ରେଟେଡ଼ କଲଚର ଏସିଟିର କର୍ମକର୍ତ୍ତାଗଣ, ଅଗ୍ରଣୀ ବ୍ୟବସାୟିକ ଅନୁଷ୍ଠାନ ଯଥା ସନୀ ହୋମସ,ସାଇନ ଆଣ୍ଡ ରାଇଜ, ଅସି ହୋମ ଲୋନ ଏବଂ ଦେଶୀ ବଜାର ପ୍ରମୁଖଙ୍କର ସାହାଯ୍ୟ ସହଯୋଗ ମହତ୍ୱପୂର୍ଣ୍ଣ ଥିଲା। ଏହି ଅବସର ରଥଯାତ୍ରାର ଶୁଭ କାମନା କରି ସିନେଟର କ୍ୟାଟି ଗାଲାଘର ଏବଂ ସାଂସଦ ଆଣ୍ଡ୍ରିୟୁ ଲେ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ଜଣାଯାଇଛି। Categories: ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026