୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ନୂଆଦିଲ୍ଲୀର ହାଉଜଖା୍ସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରଠାରେ ୪୬ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ଚଳିତ ବର୍ଷ ଏହି ପବିତ୍ର ପାର୍ବଣ ମହୋତ୍ସବରେ ଉପସ୍ଥିତଥିବା ପାଖାପାଖି ୫୦ ହଜାର ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ମନ୍ଦିରରେ ବଢ଼ି ଭୋର ୫ଟା ସମୟରେ ମଙ୍ଗଳ ଆଳତି କରାଯାଇଥିଲା। ନୂଆଦିଲ୍ଲୀ ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ମାନେ ସେମାନଙ୍କର ପରିବାର ବର୍ଗଙ୍କ ସହିତ ବଢ଼ିଚଢିକି ରଥଯାତ୍ରା ଉତ୍ସବରେ ଅଂଶଗ୍ରହଣ କରିଥିବା ପରିଲକ୍ଷିତ ହୋଇଥିଲା। ଏଠାରେ ଦିନ ଦ୍ବିପହରରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ତାପରେ ବଡ ଭାଇ ବଳଭଦ୍ର ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କୁ ସାହିରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟ ମାନ ସୁନ୍ଦର,ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆ ଯାଇଥିଲା। ଉପସ୍ଥିତ ଦର୍ଶକମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୁର୍ଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ନିଆରା ଦୃଶ୍ୟ ଖୁବ ମର୍ମସ୍ପର୍ଶୀ ଥିଲା ।
ମନ୍ଦିର ପରିଚାଳନା କମିଟି ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟ ଅତିଥି ଭାରତ ସରକାରଙ୍କର ସଂସ୍କୃତି ବିଭାଗର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପାରମ୍ପରିକ ଢଙ୍ଗରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଏଠାରେ ଆଇ.ଏମ .ଡ଼ି ର ଡ଼ିଜି ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର, ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ, ଡ଼ଃ ଏସ.କେ.ଜେନା, ରାଘବ ଦାଶ, ସୁରଜ ନାୟକ ଓ କେଦାର ନାଥ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ I ମନ୍ଦିର ପରିଚାଳନା କମିଟିର ପୂର୍ଵତନ ସଭାପତି ଦୁର୍ଯ୍ୟୋଧନ ପ୍ରଧାନ ଉପସ୍ଥିତ ଥିଲେ। ଏହାପରେ ଅପାରାହ୍ଣ ୨:୩୦ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା। ରଙ୍ଗାରଙ୍ଗ ଓ ରାଜକୀୟ ରଥରେ ଚାରିଠାକୁରଙ୍କର ବିରାଜମାନ ଦୃଶ୍ୟ ଅଦ୍ଭୂତପୂର୍ବ ଓ ଅଲୌକିକ ଥିଲା। ମହାପ୍ରଭୁଙ୍କ ରଥକୁ ଆଂସାରୀ ନଗରକୁ ନିଆଯାଇ ପୁଣି ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ, ଠାକୁରମାନଙ୍କ ଉପରେ ପୁଷ୍ପବର୍ଷଣ ଏବଂ ରଥବାଢ଼ରେ ନଡ଼ିଆ ଭାଙ୍ଗି ନିଜକୁ ଧନ୍ୟ ମନେ କରୁଥିବା ଓ ଭକ୍ତିଭାବରେ ଅଭିଭୂତ ହେବାର ଦୃଶ୍ୟ ଅଭୂତପୂର୍ବ ଥିଲା।
ରଥ ମନ୍ଦିର ପ୍ରାଙ୍ଗଣକୁ ଫେରିବା ପରେ ସର୍ବ ସାଧାରଣ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ କରିଥିଲେ। ରାତ୍ରର ବିଳମ୍ବିତ ପ୍ରହରରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିରର ବେସମେଣ୍ଟରେ ଥିବା ମାଉସୀମା’ ଘରକୁ ନିଆଯାଇ, ସେଠାରେ ଥିବା ସିଂହାସନରେ ଆସୀନ କରାଯାଇଥିଲା। ରଥଯାତ୍ରାର ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପନ୍ନ କରାଯିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘର କର୍ମକର୍ତ୍ତା ଓ ସଦସ୍ୟଗଣ ଯଥା ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଅଭୟ ପ୍ରଧାନ, ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ (ଖ), ଜୀତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ,ପଙ୍କଜ ମହାନ୍ତି,ନିଶୀଦ୍ଧ କୁମାର ଦାଶ,ରଙ୍କନିଧି ସାହୁ,ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ୱାଇଁ, କିଶୋର ସାମଲ, ସନାତନ ମିଶ୍ର, ବିଜୟ କୁମାର ସାହୁ, ଅମୁଲ୍ୟ ଓଝା, ସୁକାନ୍ତ ସାହୁ, ଏବଂ ମନ୍ଦିର ମୁଖ୍ୟ ପରିଚାଳକ ରଶ୍ମି ରଞ୍ଜନ ବେହେରା ତଥା ସହପରିଚାଳକ ଶଶୀକାନ୍ତ ସାହୁ, ସଂଜୀବ ଜେନା ଓ ମନ୍ଦିରର ପୂଜକବୃନ୍ଦ ଯଥା ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ଉଲ୍ଲେଖଯୋଗ୍ୟ ଥିଲା ।