ନୋଏଡା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ  :->  ନୋଏଡାର ସେକ୍ଟର ୧୨୧ସ୍ଥିତ ଗଢିଚୌଖଣ୍ଡି ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା ଉତ୍ସବ ବିପୁଳ ଆନନ୍ଦ, ଉଲ୍ଲାସ,ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ପବିତ୍ର ପାର୍ବଣ ଧାର୍ମିକ ସମାରୋହରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କର ସମାଗମ ହୋଇଥିବାର ଦେଖା ଯାଇଥିଲା। ଏଠାକାର ମନ୍ଦିରରେ ବଢ଼ି ଭୋର ୫ଟା ବେଳେ ଦିଅଁମାନଙ୍କ ସମ୍ମୁଖରେ ମଙ୍ଗଳ ଆଳତି କରାଯାଇଥିଲା।ଦିନ ୧୧ଟା ବେଳେ ରଥ ସ୍ଥାପନ ଏବଂ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା।ଦ୍ୱିପ୍ରହର ୧୨.୩୦ ମିନିଟ ସମୟରେ ଠାକୁର ମାନଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା । ଉପସ୍ଥିତ ସମସ୍ତ ଭକ୍ତମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଚାର୍ଟଡ଼ ଏକାଉଟାଣ୍ଟ ଓ ସମାଜସେବୀ ଡ଼ଃ ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ବରେ ସ୍ବେଚ୍ଛାସେବୀ ଏବଂ ସଂଗଠକ ମାନଙ୍କଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।ଦ୍ୱିପ୍ରହର ୨.୩୦ମିନିଟ ବେଳେ ଚାରିଠାକୁରଙ୍କର ସୁନ୍ଦର ଓ ସୁଶୋଭିତ ରଥ ଉପରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଏଠାରେ ବିଶିଷ୍ଟ ଅତିଥି ଦୀପକ ସିଂହଲ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ।ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ର ପାଣି ମହାରାଜ,ଉତ୍ତର ପ୍ରଦେଶର ପ୍ରଭାରୀ କୁମାର ବ୍ରିଜେଶ, ପୋଲିସ କମିଶନର ଲକ୍ଷ୍ମୀ ସିଂହ, ଜିଲ୍ଲା ନ୍ୟାୟଧିଶ ମନୀଷ କୁମାର ବର୍ମା, ଦାଦ୍ରୀ ବିଧାୟକ ତେଜପାଲ ନାଗର, ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର, ଉତ୍ତରପ୍ରଦେଶ କୃଷି ଅନୁସନ୍ଧାନ ପରିଷଦର ଅଧ୍ୟକ୍ଷ କ୍ୟାପ୍ଟନ ବିକାଶ ଗୁପ୍ତା, ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ନବାବ ସିଂହ ନାଗର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଅପରାହ୍ନ ୩.୩୦ ମିନିଟ ସମୟରେ ରଥଟଣା ପ୍ରକ୍ରିୟା ଶୁଭାରମ୍ଭ ହୋଇଥିଲା।ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଉଥିବା ରଥଟିକୁ ୩ କିଲୋମିଟର ଦୂରରେ ଅବସ୍ଥିତ ବାଲକନାଥ ମନ୍ଦିର ଅନ୍ତର୍ଗତ ମାଉସୀ ମା’ ପୀଠକୁ ନିଆଯାଇଥିଲା । ରାଜରାସ୍ତାରେ ଭକ୍ତମାନଙ୍କର ଭଜନ, କୀର୍ତ୍ତନ, ହରିବୋଲ, ଜୟ ଜଗନ୍ନାଥ ଓ ହୁଳହୁଳି ଧ୍ୱନୀ ମଧ୍ୟରେ ରଥ ଗମନର ଦୃଶ୍ୟ ଅଦ୍ଭୂତପୂର୍ବ ଥିଲା । ମାଉସୀ ମା ମନ୍ଦିର ଠାରେ ପୁଣି ଦିଅଁମାନଙ୍କୁ ସାହି ରୋଷଣୀ କରାଯାଇ ରଥ ଉପରୁ ନିଆଯାଇ ସେଠାରେ ସ୍ୱତନ୍ତ୍ର ସିଂହାସନରେ ଆସୀନ କରାଯାଇଥିଲା।ଆସନ୍ତା ୧୫ ତାରିଖରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏଠାରେ ଦିଅଁ ମାନେ ବିରାଜମାନ କରିବେ ବୋଲି ମନ୍ଦିର ସୂତ୍ରରୁ ଜଣାଯାଇଛି।ରଥଯାତ୍ରା ସୁଚାରୁ ରୂପେ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟଗଣ ଯଥା ସଭାପତି ବିଶ୍ଵନାଥ ତ୍ରିପାଠୀ , ଦୁଇ ଉପସଭାପତି ପ୍ରମୋଦ ବଳ ଓ ନିଗମାନନ୍ଦ ମହାନ୍ତି , ସାଧାରଣ ସମ୍ପାଦକ ଡ଼ଃ ମନୋରଞ୍ଜନ ମହାନ୍ତି ଓ ଯୁଗ୍ମ-ସମ୍ପାଦକ ଧନେଶ୍ୱର ନାୟକ, କାର୍ଯ୍ୟକାରୀ କମିଟିର ସଦସ୍ୟବୃନ୍ଦ ଯଥା ସୁବଳ ବେହେରା,ଦିଲ୍ଲୀପ ସ୍ୱାଇଁ,ଦେବୁ ମିଶ୍ର,ଅକ୍ଷୟ ସ୍ୱାଇଁ,ପ୍ରଶାନ୍ତ ଖିଲାର, ଅଭିମନ୍ୟୁ ପରିଡ଼ା,ରମେଶ ନାୟକ, ପ୍ରକାଶ ରାୟ, ଏ.ଆର. ପରିଜା, ଭରତ ପ୍ରଧାନ, କିଶୋର ପରିଡ଼ା ଓ ଡ଼ଃ ବିମ୍ବାଧର ରଥ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Exit mobile version