ଗୁଜୁରାଟର ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଅହମ୍ମଦାବାଦ :->  ଗୁଜୁରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ଏହି ପବିତ୍ର ଉତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଥିଲା। ବଢିଭୋରରୁ ମନ୍ଦିର ପରିସରରେ ଅଡାଲଜ ଏବଂ ଏହାର ଆଖପାଖ ଅଞ୍ଚଳରୁ ସପରିବାର ସହିତ ଆସିଥିବା ଓଡ଼ିଆ ଓ ଅଣ-ଓଡ଼ିଆ ଭକ୍ତମାନଙ୍କର ଭାରି ଭିଡ ଲାଗିଥିବା ପରିଲକ୍ଷିତ ହୋଇଥିଲା। ମନ୍ଦିରକୁ ପରିଚଳନା କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମି ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ. ଆର.ସି) ତରଫରୁ ଓ ଜେ.ସି. ଏ. ଆର. ସି ର ଅଧ୍ୟକ୍ଷ ଡ଼ଃ ସୁଦୀପ କୁମାର ନନ୍ଦ ଙ୍କର ତତ୍ତ୍ୱାବଧାନରେ ସଂଗଠକ ଓ ସ୍ୱେଚ୍ଛାସେବକମାନେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ବେଶ ତତ୍ପରତା ପ୍ରଦର୍ଶନ କରୁଥିବା ଲକ୍ଷ କରାଯାଇଥିଲା। ମନ୍ଦିର ମଧ୍ୟରେ ସକାଳେ ଠାକୁର ମାନଙ୍କର ଯଥାରୀତି ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇ ସକାଳ ୯ ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଏବଂ ସବା ଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ପ୍ରତିମା ଗୁଡ଼ିକୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଦେବୀ ସୁଭଦ୍ରାଙ୍କ ରୋଷଣୀ କେବଳ ମହିଳାମାନେ କରୁଥିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା I ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୁର୍ଦଙ୍ଗ ଆଦି ବାଦନାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେଉଥିବାର ଭଵ୍ୟ ଅନୁଭୂତି ଖୁବ ନିଆରା ଥିଲା।

ମୁଖ୍ୟ ଅତିଥି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ ସକାଳ ୯.୧୫ମିନିଟ ରେ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଶ୍ରୀ ପଟେଲଙ୍କୁ ଏହି ପବିତ୍ର କାର୍ଯ୍ୟରେ ସମ୍ମାନୀତ ଅତିଥି ରାଜ୍ୟର ମନ୍ତ୍ରୀ ରାଘବଜୀଭାଇ ହଂସରାଜଭାଇ ପଟେଲ ଏବଂ ରାଜ୍ୟସଭା ସଦସ୍ୟ ନରହରି ଅମିନ ପ୍ରମୁଖ ସହଯୋଗ କରିଥିଲେ। ଏହାପରେ ସାଢେ ୯ଟା ବେଳେ ମନ୍ଦିର ସାମ୍ନା ସ୍ଥିତ ବଡଦାଣ୍ଡରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପ୍ରାୟ ୨୦ହଜାର ଭକ୍ତଙ୍କର ସମାଗମରେ ରାଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନଗର ପରିକ୍ରମାରେ ନିଆଯାଇଥିଲା। ରଙ୍ଗାରଙ୍ଗ ରଥଟିକୁ ଅଡାଲଜଠାରୁ ୩ କିଲୋମିଟର ଦୂରରେ ଥିବା ମା’ ଅନ୍ନପୂର୍ଣ୍ଣା ଙ୍କର ମନ୍ଦିର ନିକଟକୁ ନିଆଯାଇ ମଧ୍ୟାହ୍ନ ସୁଦ୍ଧା ପୁଣି ମୁଖ୍ୟ ମନ୍ଦିରର ବେଢାକୁ ଫେରାଇ ଅଣାଯାଇଥିଲା। ଏହାପରେ ଠାକୁରମାନଙ୍କୁ ମନ୍ଦିର ର ତଳ ତାଲାରେ ଥିବା କମ୍ୟୁନିଟିହଲ ପରିସରରେ ବନିଥିବା ମାଉସୀ ମା ଘରକୁ ନିଆଯାଇ ସେଠାରେଥିବା ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦିଅଁମାନେ ଏହିଠାରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୁତ୍ରରୁ ଜଣାଯାଇଛି। ଏଠାରେ ପ୍ରତ୍ୟେକ ଦିନ ଭକ୍ତମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇବେ I ରଥଯାତ୍ରାର ଆୟୋଜନ କରିବାରେ ବିଶ୍ୱ ବ୍ରାହ୍ମଣ ସଂଗଠନର ସଭାପତି ଶଶୀକାନ୍ତ ତିୱାରୀ, ମହାସଚିବ ଦୀପକ ଯୋଶୀ ଏବଂ ମା’ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ପରିଚଳନା କମିଟି ବ୍ୟାପକମାତ୍ରାରେ ସହାୟତା ଯୋଗାଇ ଦେଇଥିଲେ।

ଚଳିତ ବର୍ଷ ରଥଯାତ୍ରାର ବିଶେଷ ଆକର୍ଷଣ ଭାବରେ ୬ଟି ଟ୍ରାକ୍ଟର ରେ ପାଖାପାଖି ୧୦୦ ଜଣ ସଦସ୍ୟ ବିଶିଷ୍ଟ ମହିଳା ଭଜନ ମଣ୍ତଳୀ ରଥ ସହିତ ନଗର ପରିକ୍ରମା କରି ସେମାନଙ୍କର ସୁମଧୁର ଭକ୍ତି ସଂଗୀତରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସୁଦର୍ଶନ ଚକ୍ରକୁ ଧାରଣ କରି ଦ୍ରୋଣ ଆକାଶ ମାର୍ଗରୁ ମହାପ୍ରଭୁଙ୍କର ଆଧ୍ୟାତ୍ମିକତା ଓ ଅଲୌକିକତାର ସୂଚନା ଦେଇ ଦର୍ଶକ ମାନଙ୍କୁ ଅଭିଭୂତ କରି ଦେଇଥିଲା I ମା’ ଅନ୍ନପୂର୍ଣ୍ଣାଙ୍କର ମନ୍ଦିରଠାରେ ଦ୍ବିପହରରେ ଏବଂ ମୁଖ୍ୟ ଜଗନ୍ନାଥ ମନ୍ଦିରରେ ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆଗନ୍ତୁକ ମାନଙ୍କ ପାଇଁ ନିଶୁଳ୍କ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା l ମହୋତ୍ସବକୁ ସୂଚାର ରୂପେ ଆୟୋଜନ ଓ ସଫଳଭାବେ ସମାପନ କରିବାରେ ଓଡିଶା ସଙ୍ଘ ଓ ଜେ.ସି. ଏ. ଆର. ସି ର ଅଧ୍ୟକ୍ଷ ଡ଼ଃ ସୁଦୀପ କୁମାର ନନ୍ଦ, ଓଡିଶା ସଙ୍ଘର ସଭାପତି ହରେକୃଷ୍ଣ ଦାଶ ,ଜେ.ସି. ଏ. ଆର. ସିର ସଦସ୍ୟ ସଚିବ ଓ ଓଡିଶା ସଙ୍ଘର ସାଧାରଣ ସମ୍ପାଦକ ଡ଼ଃ ବଦ୍ରି ମହାପାତ୍ର ଏବଂ ମନ୍ଦିର କମିଟିର ଅଧ୍ୟକ୍ଷା ଲୀଳା ଦାଶ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଏହି ଟିମକୁ ପରିଚାଳନା କମିଟିର ଟ୍ରଷ୍ଟି, ସଦସ୍ୟ ଗଣ ଓ ଓଡ଼ିଶା ସଙ୍ଘର କର୍ମକର୍ତ୍ତା ତଥା ସଦସ୍ୟ ବୃନ୍ଦ ଯଥା ମହେଶ୍ୱର ସାହୁ, ଡ଼ଃ ନିବେଦିତା ସାହୁ, ବାଞ୍ଛାନିଧି ପାଣି,ରବି ପଣ୍ଡା , ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ୱାଇଁ, ଅଜୟ ଦାସ , ମହେନ୍ଦ୍ର ଦାସ , ରାଜେଶ ସାମଲ,ଦିଲ୍ଲୀପ ଜେନା, ରୋହିତ ନାୟକ, ନିଗମାନନ୍ଦ ଦାସ, ଦିଲ୍ଲୀପ ବଳ, ସନ୍ଧ୍ୟା ପଣ୍ଡା ଓ ଗଣେଶ ସାବତ ପ୍ରମୁଖ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ।

Exit mobile version