ପ୍ରଶାସନ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ନିଲାମ ନ ଥିବା ବାଲି ଖାଦାନରୁ ବିପୁଳ ରାଜସ୍ବ ଲୁଟ – ବେଧଡକ ଉତ୍ତୋଳନ ଓ ପରିବହନକୁ ପ୍ରଶାସନର ପ୍ରୋତ୍ସାହନ !

୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :-> ଗତ ପ୍ରାୟ ୨ମାସ ଧରି ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅନ୍ତର୍ଗତ ସନ୍ତୋଷପୁର ରାଜସ୍ବ ମଣ୍ଡଳର ବ୍ରାହ୍ମଣ ଛାଇ ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ବାଲି ମାଫିଆ। ଏଭଳି ବେଆଇନ କାରବାରରେ ସନ୍ତୋଷପୁର ବାଲିଶଯ୍ୟା ଲିଜ ହାତେଇଥିବା ଲିଜଧାରୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ମୂଖ୍ୟ କାର୍ପେଟଦାର ସାଜିଥିବା ଜଣାପଡ଼ିଛି। ଦୈନିକ ପ୍ରାୟ ଶହେରୁ ଦୁଇଶହ ଟିପର ଓ ହାଇୱା ଗାଡ଼ି ଜରିଆରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ବେଆଇନ ଭାବେ ପ୍ରଚୁର ଚୋରା ବାଲି ପରିବହନ ହେଉଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଲା ଲୁଟ ଖାଦାନଟି ଶେରଗଡ଼ ତହସିଲ ଅଧିନ ତଥା ହିଞ୍ଜିଳି ଥାନା ଅଧୀନରେ ଥିବା ବେଳେ ସେଥିପ୍ରତି ତହସିଲ ଓ ପୋଲିସ କର୍ତ୍ତୃପକ୍ଷଙ୍କ ଆଖି ଓ କାନ ବନ୍ଦ ଥିଲା ଭଳି ପରିସ୍ଥିତିରୁ ଜଣାପଡିଛି ।

ଏପରିକି ହିଞ୍ଜିଳି ଥାନା ଅଞ୍ଚଳ ଅତିକ୍ରମ କରି ଶହ ଶହ ଘନଫୁଟର ଚୋରା ବାଲି ଟିପ୍ପର ଓ ହାଇୱା ଗାଡ଼ି ଗୁଡ଼ିକରେ ଖୋଲାଖୋଲି ପରିବହନ ହେଉଥିବା ବେଳେ ପୋଲିସ ବାଲି ଓ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ କରୁ ନ ଥିବା ଜଣାପଡିଛି । ଏପରିକି ଯେ ଶେରଗଡ଼ ଓ ହିଞ୍ଜିଳିକାଟୁ ତହସିଲ ଅଧିକାରୀଙ୍କ ସହ ହିଞ୍ଜିଳି ଥାନା ପୋଲିସକୁ ମାଫିଆ ଗୋଷ୍ଠୀଙ୍କ ଆଦୌ ଖାତିର ନାହି କି ଭୟ ନ ଥିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ମାଫିଆ ଗୋଷ୍ଠୀ ବାଲି ଖାଦାନକୁ କବଜା କରିବା ପରେ ମନଭରି ବାଲି ଲୁଟ୍ କରି ଅନ୍ୟତ୍ର ଚାଲାଣ କରୁଥିବା ଜଣାପଡିଛି । ପୁର୍ବରୁ ରାଜସ୍ବ ବିଭାଗ ଅଧିକାରୀ ଓ ପୋଲିସ ପକ୍ଷରୁ ବେଆଇନ ବାଲି ପରିବହନ ଉପରେ ଚଢାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ।

ରାତ୍ର କାଳୀନ ପାଟ୍ରୋଲିଂ ବେଳେ ହିଞ୍ଜିଳି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚୋରା ଚାଲାଣରେ ଲିପ୍ତ ଥିବା ଗାଡ଼ି ଗୁଡ଼ିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା । ପୋଲିସ ବେଆଇନ ବାଲି ଓ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ମଧ୍ଯ କରୁଥିଲା। ଏବେ କିଛି ଦିନ ହେଲା ବ୍ରାହ୍ମଣଛାଇ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀ ବାଲି ଖାଦାନରୁ ବେଧଡକ ଭାବେ ବେଆଇନ୍ ବାଲି ପରିବହନ ହେଉଥିବା ବେଳେ ସବୁ ଜାଣି ନ ଦେଖିଲା ପରି ଅଭିନୟ କରୁଥିବା ଜଣାପଡିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା କାରଣରୁ ଚଢାଉ କରିବା ସକ୍ଷମ ହେଉନାହିଁ ବୋଲି ଖଣି ବିଭାଗ ଅଧିକାରୀ କହୁଛନ୍ତି । ଏପରି ସ୍ଥଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ,

 

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଜଳ ସମ୍ପଦ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ଓ ଅବମାନନା କରି ବେଧଡକ ଭାବେ ବାଲି ପରିବହନ ଓ ଉତ୍ତୋଳନ ହେଉଥିବା ଦେଖା ଯାଇଛି । ଏପରିକି ମେସିନ ବ୍ଯବହାର କରି ନଦୀ ଗର୍ଭରୁ ପ୍ରାୟ ୧୦ ଫୁଟ ଗଭୀରରୁ ବାଲି ଉତ୍ତୋଳନ ହେଉଥିବା ଜଣା ପଡିଛି। ଖଣିଜ, ରାଜସ୍ୱ ଓ ପୋଲିସ ପକ୍ଷରୁ ଟ୍ରାଞ୍ଜିଟ ପାସ ଅସଲି କିମ୍ୱା ନକଲି ତାହାର ମଧ୍ୟ ତଦାରଖ କିମ୍ୱା ଯାଞ୍ଚ ହେଉ ନ ଥିବା ଜଣାପଡିଛି। ରାଜ୍ୟରେ ଏବେ ନୂଆଁ ସରକାରଙ୍କ ଶାସନ ଆରମ୍ଭ ହୋଇଛି। ପୂର୍ବ ସରକାରଙ୍କ ସମୟରେ ହିଞ୍ଜିଳି ଥାନାର ତହଁର ନିକଟ ଋଷିକୁଲ୍ୟା ନଦୀ ଗର୍ଭରୁ ସଙ୍ଗଠିତ ଭାବେ ମାଫିଆ ଗୋଷ୍ଠୀ ମହାଲୁଟ ଚଳାଇ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ୍ କରିଥିଲେ ।

 

ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ମାଫିଆଙ୍କୁ ଜେଲ ପଠା ଯାଇଥିଲା । ଏବେ ରାଜ୍ୟର ଶାସନ ନୂଆଁ ସରକାରଙ୍କ ହାତରେ ରହିଛି । ବେଆଇନ ବାଲି ଉତ୍ତୋଳନ ଓ ପରିବହନ ନେଇ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ବହୁ ସମୟରେ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରୁ ବେଆଇନ ଭାବେ ବାଲି ପରିବହନ ଓ ଉତ୍ତୋଳନ ହେଉଥିବା ଯୋଗୁଁ ନଦୀ ବନ୍ଧ ଓ ସ୍ଥାନୀୟ ପରିବେଶ ବେଶ ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ବାଲି ମାଫିଆ ଓ ଧୃତରାଷ୍ଟ୍ର ଭଳି ଅଭିନୟ କରୁଥିବା ପ୍ରଶାସନ ଉପରେ ରାଜ୍ୟ ସରକାରଙ୍କ ଆଭିମୂଖ୍ୟ କଣ ରହିବ ତାହା ଦେଖିବାକୁ ବାକି ରହିଛି ।

Exit mobile version