ନବଜାତ ଶିଶୁକନ୍ୟାକୁ ରାସ୍ତାରେ ଫୋପାଡ଼ି ମା ଚମ୍ପଟ : କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର

୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :->  ହିଞ୍ଜିଳି ଥାନା ତଥା ସହର ଉପକଣ୍ଠ ସନ୍ତୋଷୀମାଁ ମନ୍ଦିର ନିକଟରେ ଶୁକ୍ରବାର ସକାଳେ ୫୯ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ଏକ ନବଜାତ ଶିଶୁର ମୃତ ଦେହ ପଡିଥିବା ଖବର ପ୍ରସାରିତ ହୋଇଥିଲା।ମୃତ ଶିଶୁଟିର ବିଭିନ୍ନ ଅଂଶକୁ କୁକୁର ଓ ବିଲୁଆ ଙ୍କ ଆହାର ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିବା ସହ ଘଟଣା ସମ୍ପର୍କରେ ହିଞ୍ଜିଳି ପୋଲିସକୁ ସୂଚନା ମିଳିଥିଲା। ପୋଲିସ ସେଠାର ପହଞ୍ଚି ଶିଶୁର ମୃତ ଦେହକୁ ଜବତ କରିଛି । ଏନେଇ ୨୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ପୋଲିସ ସୂତ୍ରରୁ ଏହା ଏକ ଶିଶୁକନ୍ୟା ବୋଲି ଜଣାପଡିଛି।

କିଏ ଓ କେଉଁ ପରିସ୍ଥିତିରେ ଏଭଳି ଅମାନବୀୟ କାମ କରି ଏକ ନିଃସ୍ପାପ ଶିଶୁକନ୍ୟାକୁ ରାସ୍ତା କଡ଼ରେ ଫୋପାଡି ଚାଲି ଯାଇଛି ତାହା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୈତିକ ସମ୍ପର୍କରୁ ଅବୈଧ ଭାବେ ଜନ୍ମିତ ଶିଶୁକନ୍ୟାଟିକୁ ଅଲୋଡ଼ା ଓ ଲୋକ ଲଜ୍ଜାରୁ ନିସ୍ତାର ନିମନ୍ତେ ପିଶାଚି ମା ଅତି ନିର୍ଦ୍ଦୟ ଭାବେ ରାଜରାସ୍ତା କଡେ ଫୋପାଡି ଚମ୍ପଟ ମାରିଥିବା ଆଲୋଚନା ହୋଇଛି।

ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ପ୍ରକୃତ ସୂଚନା ମିଳି ପାରିନାହିଁ। ପୁର୍ବରୁ ସ୍ଥାନୀୟ ଅଞ୍ଚଳରେ ଏଭଳି ସମ୍ବେଦନଶୀଳ ଘଟଣା ମାନ ବହୁ ସମୟରେ ଘଟୁଥିବା ନଜିର ରହିଛି। ଏଭଳି ଘଟଣା ସାଧାରଣରେ ବେଶ ଉଦବେଗ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ବହୁ ଅର୍ଥ ବ୍ୟୟରେ ପ୍ରଚାରିତ ହେଉଥିବା ବେଟି ବଚାଓ, ବେଟି ପଢ଼ାଓ ଯୋଜନାର ସଫଳ ରୂପାୟନ କିପରି ଭାବେ କାର୍ଯ୍ୟକାରୀ ହେଉଛି ତାହା ଘଟଣାରୁ ସ୍ପଷ୍ଟ ହୋଇଛି । ପ୍ରଶାସନ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Exit mobile version