କାଳିଗିରି ସେତୁର ଅଧାପନ୍ତରିଆ କାର୍ଯ୍ୟକୁ ନେଇ ନବ ନିର୍ବାଚିତ ବିଧାୟକ ଅସନ୍ତୁଷ୍ଟ

( ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ସହ କଲେ ସମୀକ୍ଷା, ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ) 

୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକର ପ୍ରବେଶ ପଥ ଫତେଗଡ ଗ୍ରାମ ନିକଟ ୪୮ ନମ୍ବର ରାଜ୍ୟ ରାଜପଥରେ ଅବସ୍ଥିତ କାଳିଗିରି ନଦୀ ଉପରେ ନିର୍ମାଣଧିନ ସୂଉଚ୍ଚ ପୋଲ କାର୍ଯ୍ୟ ଅହେତୁକ ବିଳମ୍ବ ଓ ଅଧାପନ୍ତରିଆ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି ।ଉଲ୍ଲେଖଯୋଗ୍ୟ,ପ୍ରାୟ ୫୦ ବର୍ଷ ପୂର୍ବରୁ ତତ୍କାଳୀନ ଖଣ୍ଡପଡ଼ାର ବିଧାୟକ ସତ୍ୟ ସୁନ୍ଦର ମିଶ୍ରଙ୍କ ପ୍ରଚେଷ୍ଟାରେ ଭାପୁର ଓ ଖଣ୍ଡପଡ଼ାବାସୀଙ୍କ ଦୁଃଖ କଳିଗିରି ନଦୀ ଉପରେ ସେତୁ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସେ ପୁରୁଣା ପୋଲ ଟି ନିମ୍ନ ସ୍ତରରେ ନିର୍ମାଣ ହୋଇଥିବାରୁ ବର୍ଷା ଦିନେ ଏହା ଉପରେ ୮/୧୦ ଫୁଟ୍ ବନ୍ୟା ଜଳ ପ୍ରବାହିତ ହୋଇଥାଏ ଫଳରେ, ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯାଇଥାଏ ।

ଫଳରେ, ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ପୋଲକୁ ଉଚ୍ଚତାରେ ନିର୍ମାଣ କରିବା ପାଇଁ ୯ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଟେଣ୍ଡର ମାଧ୍ୟମରେ ତକଶିଲା ପ୍ରୋଜେକ୍ଟ ଏଣ୍ଡ ପ୍ରା.ଲି. କମ୍ପାନୀର ଠିକାଦାର ରାଜକୁମାର ସିଂଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ଯାହା ୨୦୨୩ ମସିହା ଡିସେମ୍ବର ମାସ ୩୧ରେ ସରିବା କଥା କିନ୍ତୁ ଅବଧି ଶେଷର ୫ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି।ଏହି ସେତୁ ଦେଇ ଦୈନିକ ନରସିଂହପୁର, ନୟାଗଡ,କଣ୍ଟିଲୋ, ଢେଙ୍କାନାଳ ଆଦି ଦୂରଦୁରାନ୍ତରୁ ବସ କାର ଆଦି ଯାନବାହାନ ଯାତାୟାତ କରୁଛି ।

କିନ୍ତୁ କାଳିଗିରି ସେତୁ କାର୍ଯ୍ୟ ସମ୍ପୂର୍ଣ ନ ହେବାରୁ ବର୍ଷାଦିନେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହେବାକୁ ବସିଛି ।  ସେତୁ ନିର୍ମାଣ ଚାଲିଥିବାରୁ ସେତୁର ତଳେ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇ ଯାନବାହାନ ବର୍ତ୍ତମାନ ଚଳାଚଳ କରୁଛି । କିନ୍ତୁ, ମହାନଦୀରେ ବନ୍ୟା ଆସିଲେ ସେ ଅସ୍ଥାୟୀ ରାସ୍ତା ବୁଡ଼ି ଯିବାର ଭୟ ରହୁଥିବାରୁ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯିବ ଫଳରେ,ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖି ଜନତା ବହୁ ଅସୁବିଧାର ସମ୍ମୁଖିନ ହେବେ । ପୁନଶ୍ଚ , ଫତେଗଡ, ଗୋଲାପୋଖରି, କାରବର, ଶାସନ , ପଦ୍ମାବତୀ ଆଦି ପଞ୍ଚାୟତର ଚାଷ ଜମିରେ ବନ୍ୟା ଜଳ ପ୍ରବାହିତ ହୋଇ ଚାଷ ଜମି ନଷ୍ଟ ହୋଇଯିବ।

କାର୍ଯ୍ୟଟି କଛପ ଗତିରେ ଚାଲିଥିବା ବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଅସନ୍ତୋଷ ବ୍ୟକ୍ତ କରିବା ସହ ମଙ୍ଗଳବାର ଅପରାହ୍ନରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଉପସ୍ଥିତିରେ ଉକ୍ତ ବ୍ରିଜର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ଖୁବ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ତାଗିଦ୍ କରିଥିଲେ। ଉକ୍ତ ବ୍ରିଜ ନିର୍ମାଣ କାର୍ଯ୍ୟର ସମୀକ୍ଷା ସମୟରେ ନୟାଗଡ ଜିଲ୍ଲା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରା, ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋ, କନିଷ୍ଠ ଯନ୍ତ୍ରୀ ପ୍ରାଣକୃଷ୍ଣ ମହାପାତ୍ର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତା ୬ମାସ ମଧ୍ୟରେ ବ୍ରିଜର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ନବ ନିର୍ବାଚିତ ବିଜେପି ବିଧାୟକଙ୍କ ଜନ ସାଧାରଣମାନଙ୍କ ପାଇଁ କାର୍ଯ୍ୟ କରିବାର ଆଭିମୁଖ୍ୟକୁ ନେଇ ସବୁ ମହଲରୁ ପ୍ରଶଂସା ମିଳୁଛି ଦେଖିବାକୁ ମିଳୁଛି !

Exit mobile version