ଓଭରଟେକ କରିବାକୁ ଯାଇ ଡିଭାଇଡ଼ରରେ ପିଟିହୋଇ ଓଲଟିଲା କଂକ୍ରିଟ ମିକ୍ଚର ଗାଡ଼ି

୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ  :-> କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଦେବତା ଗଡା ନିକଟସ୍ଥ ଏକ ଟାୟାର ମରାମତି ଦୋକାନ ନିକଟରେ ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଏକ ସିମେଣ୍ଟ ମିକ୍ଚର ୧୦ ଚକିଆ ଟ୍ରକ ରାସ୍ତା ଡିଭାଇଡ଼ରରେ ପିଟିହୋଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଉକ୍ତ ଟ୍ରକ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କୁ ଟ୍ରକର ସମ୍ମୁଖ ପଟ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣା ଘଟିବା ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା ।

ଦୁର୍ଘଟଣାର ଖବର ପାଇ କଟକ ସଦର ପୋଲିସ ପିସିଆର ଭ୍ୟାନ ଏବଂ ଏନ ଏଚ ଟ୍ରାଫିକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ଓଲଟି ପଡ଼ିଥିବା ସିମେଣ୍ଟ ମିକ୍ଚର ଟ୍ରକକୁ କ୍ରେନ ଯୋଗେ ଉଠାଇବାକୂ ଚେଷ୍ଟା କରିଥିଲେ । ଝିପିଝିପି ବର୍ଷା ହେଉଥିବା ସମୟରେ କଟକରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଆସୁଥିବା AR -20 -C-6377 ସିମେଣ୍ଟ କଂକ୍ରିଟ ମିକ୍ଚର ଟ୍ରକ ଏକ ଗାଡ଼ିକୁ ଅତିକ୍ରମ କରିବାକୁ ଯାଇ ରାସ୍ତା ଡିଭାଇଡ଼ରରେ ପିଟିହୋଇ ଓଲଟି ପଡ଼ିଥିଲା ।

ଯାହାଫଳରେ ଟାୟାର ମରାମତି ଦୋକାନରେ ବସିଥିବା ପିଲାମାନେ ଏବଂ ସ୍ଥାନୀୟ ଲୋକମାନେ ପ୍ରଥମେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଭିତରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଓଲଟି ପଡିଥିବା ଗାଡ଼ିକୁ କ୍ରେନ ଯୋଗେ ଉଠାଇବା ସମୟରେ ଏହି ରାସ୍ତାରେ କିଛି ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Exit mobile version