
୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସିଆଇଆଇ ଫାର୍ମ୨ଫୋର୍କର ୧୦ମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଛି । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଅଂଶୀଦାରମାନେ ରପ୍ତାନିରେ ସୁଯୋଗର ଫାଇଦା ଉଠାଇପାରିବେ ଏବଂ ଏଥିରେ ଥିବା ସମ୍ଭାବନା ଓ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିପାରିବେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିଆଇଆଇ ଇଆର ସରକାରୀ ଶିଳ୍ପ, ଏଗ୍ରି ଆଣ୍ଡ ଫୁଡ ପ୍ରୋସେସିଂ ଫୋରମର ଅଧ୍ୟକ୍ଷ ତଥା ଆଇଟିସି ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବି ସୁମନ୍ତ ଓଡ଼ିଶାରେ ଧାନ, ଗହମ ଓ ଅର୍ଗାନିକ ମସଲାର ରପ୍ତାନୀକୁ ନେଇ ବ୍ୟାପକ ସମ୍ଭାବନା ଥିବା କହିଛନ୍ତି । ସେ କହିଛନ୍ତି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଧାନ ଚାଷରେ ସାର ବ୍ୟବହାର ପରିମାଣ କମ୍ ରହିଛି । ଏଭଳି ସ୍ଥଳେ ଚାଷୀମାନେ ‘ଫୁଡ୍ ସେଫ୍’ ଧାନ ଚାଷ କରିବା ଉପରେ ଧ୍ୟାନଦେଲେ ତାହାକୁ ରପ୍ତାନି କରାଯାଇପାରିବ ଯାହାର ଅନ୍ତର୍ଜାତୀୟ ବଜାରରେ ବିପୁଳ ଚାହିଦା ରହିଛି । ସେହିପରି, ଗୁଣାତ୍ମକ ମାନର ଗହମ ଚାଷ କଲେ ତାହାକୁ ଖାଦ୍ୟ ପ୍ରକ୍ରିୟାକରଣ କରୁଥିବା କମ୍ପାନିଗୁଡ଼ିକ ସିଧାସଳଖ ଚାଷୀଙ୍କଠାରୁ କିଣିପାରିବେ । ରାଜ୍ୟର ପାଣିପାଗ ଅର୍ଗାନିକ୍ ଚାଷକୁ ବେଶ ସୁହାଉଛି । ଅର୍ଗାନିକ ମସଲା ଚାଷ କରି ତାହାକୁ ରପ୍ତାନି କରାଯାଇପାରିବ ଯାହାର ୟୁରୋପର ବିପୁଳ ଚାହିଦା ରହିଛି ବୋଲି ସେ କହିଛନ୍ତି ।
