ପାନୀୟ ଜଳ ସମ୍ପର୍କରେ ସମୀକ୍ଷା – ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ର

୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ବାସୁଆଘାଇ ସ୍ଥିତ ଓଡ଼ିଶା ଅର୍ବାନ ଆକାଡ଼େମୀ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଓଡ଼ିଶାରେ ପାନୀୟ ଜଳ ଏବଂ ବର୍ଜ୍ୟ ଜଳ ନିଷ୍କାସନର ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଅତିରକ୍ତ ଶାସନ ସଚିବ ଶ୍ରୀ ଜି ମାଥୀ ଭାଥନନ୍ ମନ୍ତ୍ରୀଙ୍କ ସମ୍ମୁଖରେ ଓଡ଼ିଶାରେ ଜଳର ଯାତ୍ରା ସମ୍ପର୍କିତ ଏକ ଉପସ୍ଥାପନା ପ୍ରସ୍ତୁତ କରିଥିଲେ । ଏତଦବ୍ୟତୀତ ୱାଟକୋର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ପ୍ରଦୀପ୍ତ କୁମାର ସ୍ବାଇଁ ଡ୍ରିଂକ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପର ଅଗ୍ରଗତି ସମ୍ପର୍କିତ ଏକ ଉପସ୍ଥାପନା ପ୍ରସ୍ତୁତ କରିଥିଲେ।

ବୈଠକ ପରେ ମନ୍ତ୍ରୀ ଦୈନିକ ନିର୍ଗତ ତରଳ ବର୍ଜ୍ୟ ପରିଚାଳନା ଏବଂ ବିଶୁଦ୍ଧିକରଣ ପାଇଁ ବାସୁଆଘାଇ ଠାରେ ଥିବା ଫିକଲ ସ୍ଲଜ ଟ୍ରିଟମେଣ୍ଟ ପ୍ଳାଣ୍ଟ (ଏଫଏସଟିପି) ଏବଂ ସ୍ଵେରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ (ଏସଟିପି) ପରିଦର୍ଶନ କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କୁ ଏଫଏସଟିପିରେ ନିୟୋଜିତ ହୋଇଥିବା କିନ୍ନର ସ୍ବୟଂ ସହାୟିକା ଗୋଷ୍ଠୀ ଏଫଏସଟିପିର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

କିନ୍ନର ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ପାଇଁ ଅତିରକ୍ତ ଶାସନ ସଚିବଙ୍କୁ ପ୍ରସଂଶା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ ବୈଠକରେ ଅତିରିକ୍ତ ଶାସନ ସଚିବ ସାରଦା ପ୍ରସାଦ ପଣ୍ଡା, ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ଶାନ୍ତନୁ ରଥଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ l

Exit mobile version