ପାକିଡି ବାଲିଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ : ପ୍ରଶାସନର ମିଳିତ ତଦନ୍ତ

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶେରଗଡ଼/ହିଞ୍ଜିଳିକାଟୁ :-> ଶେରଗଡ଼ ତହସିଲ ତଥା ଆସିକା ଥାନା ଅଧୀନରେ ଥିବା ପାକିଡି ବାଲି ଶଯ୍ୟାରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ ଜିଲ୍ଲା ପ୍ରଶାସନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଲଘୁ ଖଣିଜ ବିଭାଗ ଓ ଆସିକା ପୋଲିସ ଥାନା ପକ୍ଷରୁ ବିଧିବଦ୍ଧ ଭାବେ ଏହାର ତଦନ୍ତ କରାଯାଇଛି ।

ସୋମବାର ଜିଲ୍ଲା ଖଣିଜ ଅଧିକାରୀ ଅକ୍ଷୟ କୁମାର ସାମଲ ଓ ଆସିକା ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ପାକିଡି ବାଲି ଶଯ୍ୟା ସ୍ଥଳରେ ପହଞ୍ଚି ଅଭିଯୋଗରେ ସତ୍ୟତା ଅଛି ନା ନାହିଁ ସେ ନେଇ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ନିରପେକ୍ଷ ତଥା ମିଳିତ ତଦନ୍ତ ଆରମ୍ଭ କରିଥିଲେ । ଅଧିକାରୀ ଦ୍ବୟ ଲିଜଧାରୀଙ୍କୁ ପ୍ରଦାନ କରାଯାଇ ଥିବା ସମସ୍ତ ଦଲିଲ ପତ୍ର,ମଞ୍ଜୁରୀ ଓ ଅନୁମତି ପାଇଥିବା ପରିମିତ ଅଞ୍ଚଳର ଭୁ-ନକ୍ସା,ସିମେଣ୍ଟ ଖୁଣ୍ଟ ଓ ଉତ୍ତୋଳନ ସ୍ଥଳ ସହ ବାଲି ପରିବହନ ହେଉଥିବା ରାସ୍ତା ବୁଲି ଦେଖିବା ସହ ଅଭିଯୋଗର ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ ଓ ତଦନ୍ତ କରିଥିଲେ ।

ଲଘୁ ଖଣିଜ ବିଭାଗ ପକ୍ଷରୁ ଜାରୀ ହୋଇଥିବା ନିର୍ଦ୍ଦେଶନାମା, ସମସ୍ତ ସର୍ତ୍ତାବଳୀ ସହ ନିର୍ଦ୍ଧାରିତ ନୀତିନିୟମ ଅନୁସାରେ ଲିଜଧାରୀ ସୁଧାନିଧି ଚୌଧୁରୀ ପାକିଡି ବାଲି ଶଯ୍ୟାରୁ ବାଲି ଉତ୍ତୋଳନ କରୁଥିବା ନେଇ ସନ୍ତୋଷ ପ୍ରକାଶ କରିଥିଲେ। ନିର୍ଦ୍ଧାରିତ ଅଞ୍ଚଳ ବାହାରେ ହେଉଥିବା ବାଲି ଉତ୍ତୋଳନ ଏଵଂ ପରିବହନ ନେଇ ଉଠିଥିବା ଅଭିଯୋଗର ସେଭଳି କିଛି ବାସ୍ତବତା ଓ ସତ୍ୟତା ନାହିଁ ବୋଲି ତଦନ୍ତ କରୁଥିବା ଅଧିକାରୀ ମାନେ ସୂଚନା ଦେଇଥିଲେ। ହୁଏତ ଏହି ପ୍ରସଙ୍ଗରେ ଅଭିଯୋଗକାରୀଙ୍କ ଅନ୍ୟ କିଛି ଆଭିମୁଖ୍ୟ ଓ ସ୍ୱାର୍ଥ ଜଡିତ ଥାଇ ପାରେ ବୋଲି ଜାଣିବା ଶୁଣିବା ମହଲରେ ଶୁଣିବାକୁ ମିଳୁଛି ।

Exit mobile version