୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗ୍ରାମର ନୂଆସାହି ବାସିନ୍ଦା ଲୋକମାନେ ଦୀର୍ଘବର୍ଷ ଧରି ଉତ୍କଟ ପାନୀୟ ଜଳର ସମସ୍ୟା ଭୋଗି ଆସୁଛନ୍ତି। ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପ ହେତୁ ଜଳସ୍ତର ହ୍ରାସ ପାଇଥାଏ । ଏହି ନୂଆ ସାହିରେ ୭ଟି ପରିବାର ଓ ଲୋକ ସଂଖ୍ୟା ୫୦ରୁ ଉର୍ଦ୍ଧ ଜଣ ଥିବାବେଳେ ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ଓ ଗୋଟିଏ କୂଅ ଉପରେ ନିର୍ଭର କରିଥାନ୍ତି ।
ନଳକୂପଟି ଅଚଳ ହୋଇ ପଡିଥିବା ବେଳେ କୂଅଟିରେ ଜଳସ୍ତର ବହୁ ପରିମାଣରେ କମି ଯାଇଥିବାରୁ ସେଥିରୁ ଗୋଳିଆ ପାଣି ବାହାରୁ ଅଛି । ସେହି ଗୋଳିଆ ପାଣିକୁ ସେହି ୭ଟି ପରିବାର ବ୍ୟବହାର କରୁଛନ୍ତି । ତେଣୁ ଏହି ପାନୀୟ ଜଳର ସମସ୍ୟା ତୁରନ୍ତ ଦୂର କରିବା ପାଇଁ ସ୍ଥାନୀୟ ସରପଞ୍ଚ, ପ୍ରଶାସନ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରି ନୂଆସାହିର ବାସିନ୍ଦାମାନଙ୍କୁ ପାନୀୟ ଜଳ ଯୋଗାଇ ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ।
